
*ବୃତ୍ତିଗତ ମାର୍ଗଦର୍ଶନ କ୍ୟାରିୟର ଚୟନ ପାଇଁ ଅତ୍ୟନ୍ତ ଆବଶ୍ୟକ* *(ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ରୁଚିଦାରେ କ୍ୟାରିୟର ଗାଇଡେନସ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ)*
(ବରଗଡ଼):୨୬/୧୧(ପବିତ୍ର ମେହେର)::: କ୍ୟାରିୟର ଚୟନ ପାଇଁ ବୃତ୍ତିଗତ ମାର୍ଗଦର୍ଶନ ଅତ୍ୟନ୍ତ ଆବଶ୍ୟକ। ଏହି ମର୍ମରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ରୁଚିଦାରେ ବୃତ୍ତିଗତ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଇଓ ମିଶ୍ରାଣୀ କୁମ୍ଭାରଙ୍କ ତତ୍ତ୍ଵାବଧାନରେ ପ୍ରଧାନ ଶିକ୍ଷକ ଅଜୟ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ବୈଠକରେ ମୁଖ୍ୟ ଅତିଥି ଭାବରେ ଏବିଇଓ ଲାଲ ମୋହନ ସିଂ, ଟ୍ରାଇବେଲ୍ କୋର୍ଡିନେଟର୍ ମିଥୁନ ପ୍ରଧାନ ଯୋଗ ଦେଇଥିଲେ।ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ତାଲିମ୍ ଶିବିରରେ ପ୍ରଶିକ୍ଷକ ଭାବରେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ,ଜନତା ହାଇସ୍କୁଲ ଗୋଡଭଗାର ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଏବଂ ଅତାବିରା ହାଇସ୍କୁଲର ଶିକ୍ଷକ ଆଶୁତୋଷ ବିଶ୍ୱାଳ ଯୋଗ ଦେଇଥିଲେ ।

ଶିକ୍ଷାର୍ଥୀମାନଙ୍କର ବୃତ୍ତିଗତ ମାର୍ଗଦର୍ଶନ ଓ କାଉନସେଲିଂର ଆବଶ୍ୟକତା, ବୃତ୍ତିଗତ ସଚେତନତା,ବୃତ୍ତିଗତ ଯୋଜନା, ବୃତ୍ତିଗତ ମାର୍ଗ ଦର୍ଶନରେ ତଦାରଖ ବ୍ୟବସ୍ଥା ଓ ବିବରଣୀ ଲିଖନ,ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ସହ କ୍ୟାରିୟର ପୋର୍ଟାଲର ବ୍ୟବହାର ସଂପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।ବୃତ୍ତିଗତ ଚୟନ ପାଇଁ ଶିକ୍ଷାର୍ଥୀମାନଙ୍କର ଆତ୍ମ ସଚେତନତା ବୃଦ୍ଧି ସହ ସାମର୍ଥ୍ୟ,ଆଗ୍ରହ ଓ ବ୍ୟକ୍ତିତ୍ଵର ବିକାଶ କିପରି କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥଲା।ଅମ୍ବାଭୋନା ଏବଂ ଭଟଲି ବ୍ଲକର ବିଭିନ୍ନ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରି ପ୍ରସଙ୍ଗଗୁଡ଼ିକୁ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।ପ୍ରଧାନଶିକ୍ଷକ ଅଜୟ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ବୈଠକରେ ଏବିଇଓ ଲାଲ ମୋହନ ସିଂ,ପ୍ରଶିକ୍ଷକ ସଞ୍ଜୟ ଖମାରୀ,ଆଶୁତୋଷ ବିଶ୍ୱାଳ,କଲ୍ୟାଣୀ ସାମନ୍ତ ମଞ୍ଚାସୀନ ଥିଲେ।ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣର ଅନୁଭୂତି ବର୍ଣ୍ଣନା କରିଥିଲେ।ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶିକ୍ଷକ ସୁବୋଧ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।




