ଶ୍ରୀଦଧିବାମନ ମନ୍ଦିରରେ ଗୀତା ଜୟନ୍ତୀ ପାଳନ
ଭଟଲି (ଅଭିମନ୍ୟୁ ପଧାନ):- ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ପରିସରରେ ବୁଧବାର ଗୀତା ସାଂସ୍କୃତିକ ସମିତିର ବାର୍ଷିକ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇ ବ୍ରାହ୍ମଣମାନଙ୍କ ପାଦଧୌତ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ ହୋଇଥଲା। ବରୁଣ , ଅଷ୍ଟାଦଶ ମାତୃଗଣ, ନବଗ୍ରହ, ଦିଗପାଳ,ଗଣେଶ ରୁଦ୍ର ଅମ୍ବିକା ଭାସ୍କର, ବିଷ୍ଣୁ, ଗୀତା ମାତାଙ୍କ ପୂଜା କରାଯାଇ ଗୀତା ପାରାୟଣ,ହବନ, ଆରତୀ, ପୁଷ୍ପାଞ୍ଜଳି, କରାଯାଇଥିଲା। ବଳରାମ ସାହୁ ସପତ୍ନୀକ କର୍ତ୍ତାକାର୍ଯ୍ୟ ତୁଲାଇଥିଲେ। ପଣ୍ଡିତ ଗୌରଚନ୍ଦ୍ର ରଥଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ପୂଜାରେ ପଣ୍ଡିତ ଜୟଦେବ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପଞ୍ଚମ ପୁରୋହିତ,ରାଜେଶ ମିଶ୍ର, ରୋହିତ ରଥ ସହଯୋଗ କରିଥିଲେ। ଏହି ଅବସରରେ ସୁରେନ୍ଦ୍ର ମୋହନ ପଣ୍ଡା ଗୀତା ବହି ପ୍ରଦାନ କରିଥିଲେ। ପୂଜାର୍ଚ୍ଚନା ପରେ ସମସ୍ତେ ଏକତ୍ରିତ ହୋଇ ପ୍ରସାଦ ସେବନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦୀର୍ଘ ୩୯ ବର୍ଷ ନିରନ୍ତର ଗୀତା ପ୍ରଚାର ପ୍ରସାର ତଥା ଅବିଛିନ୍ନ ସଂକ୍ରାନ୍ତି ଓ ଗୀତା ଜୟନ୍ତୀ ର ପରିଚାଳନା କରିଆସୁଥିବାରୁ ଶ୍ରୀ ଦଧିବାମନ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପଣ୍ଡିତ ଗୌରଚନ୍ଦ୍ର ରଥ ଓ ରାମେଶ୍ବର ଷଡ଼ଙ୍ଗୀଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦଧିବାମନ ମୁକ୍ତିମଣ୍ଡପ ର ବରିଷ୍ଠ ସଦସ୍ୟ ପଣ୍ଡିତ କୁଳମଣି ମହାପାତ୍ର, ଶୁଭ୍ରାଂଶୁ ମିଶ୍ର, ହିମାଂଶୁ ରଥ,ନେହେରୁଲାଳ ସତପଥି,ଲଲିତ ରଥ,ଆୟୁଷ୍ମନ୍ତ ଷଡ଼ଙ୍ଗୀ,ବାଙ୍କାବିହାରୀ ମିଶ୍ରଙ୍କ ସମେତ ଅଞ୍ଚଳ ବହୁ ପଣ୍ଡିତ ଯୋଗଦାନ କରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ନାରାୟଣ ସାହୁ, ଗୋପିନାଥ ବଢେଇ, ଭିକାରି ମେହେର ଏହି ଗୀତା ଜୟନ୍ତୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।



