ପାଲଲହଡାଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ: ୨୮୮ ନିର୍ମାଣ ଶ୍ରମିକଙ୍କୁ ପ୍ରାୟ ୨.୨୨ କୋଟି ଟଙ୍କାର ସହାୟତା ରାଶି ବଣ୍ଟନ

ଅନୁଗୋଳ, ୦୧.୦୫ : ତାଳଚେର ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆଜି ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦେଶ ଗଠନରେ ଶ୍ରମିକମାନଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ପାଲଲହଡା ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ବିବାହ ସହାୟତା ରାଶି ବାବଦରେ ୧୩୭ ଜଣଙ୍କୁ ୬୬ ଲକ୍ଷ ୭୫ ହଜାର ଟଙ୍କା, ମୃତ୍ୟୁ ସହାୟତା ରାଶି ୫୬ ଜଣଙ୍କୁ ୧ କୋଟି ୪୫ ଲକ୍ଷ ଟଙ୍କା , ଅନ୍ତ୍ୟେଷ୍ଟି କାଳୀନ ସହାୟତା ରାଶି ୫୫ ଜଣଙ୍କୁ ୨ ଲକ୍ଷ ୭୫ ହଜାର ଟଙ୍କା, ଶିକ୍ଷା ସହାୟତା ରାଶି ୨୦ ଜଣଙ୍କୁ ୫ ଲକ୍ଷ ୮୯ ହଜାର ୨୦୦ଟଙ୍କା , ମାତୃତ୍ୱ ସହାୟତା ରାଶି ୨୦ ଜଣଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

୨୮୮ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ପ୍ରାୟ ୨ କୋଟି ୯୯ ଲକ୍ଷ ୩୯ ହଜାର ୨୦୦ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ସେହିପରି ୩୫୮ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୨ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ନିମନ୍ତେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୭୦୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଟ୍ରେଡ ୟୁନିଅନର କର୍ମକର୍ତ୍ତା ଓ ତାଳଚେର ଶ୍ରମ କାର୍ଯ୍ୟାଳୟର ସମସ୍ତ ସଦସ୍ୟଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଶ୍ରମ ଅଧିକାରିଣୀ ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ ।




