
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟୀ ବୈଠକ ଅନୁଷ୍ଠିତ ।
ଖରିଫ ଋତୁରେ ଧାନ ଅମଳର କ୍ଷୟକ୍ଷତି ଆକଳନ ଉପରେ ଆଲୋଚନା ।
ଜେ ବି ଏନ, ୭/୧୨/୨୦୨୦, ଅନୁଗୋଳ : ଖରିଫ ଋତୁରେ ପ୍ରବଳ ବର୍ଷା ଜନିତ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ଓ ଲୋକମାନଂକର ଧନ ଜୀବନ ସୁରକ୍ଷା କରିବା ସହ ଧାନ ଅମଳର କ୍ଷୟକ୍ଷତି ଓ ଏହାର ମୁଲ୍ୟ ନିର୍ଦ୍ଧାରଣ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟୀର ଚଳିତ ବର୍ଷ ପାଇଁ ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମକୁ ଦୃଷ୍ଟିରେ ରଖି ଭର୍ଚୁଆଲ ପଦ୍ଧତିରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅଧ୍ୟକ୍ଷତା କରି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ଓ ବିପର୍ଯ୍ୟୟ ପରେ ବିଭିନ୍ନ କାର୍ଯ୍ୟକୁ ତ୍ବରାନ୍ବିତ ଭାବେ କରିବା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ଉତ୍ତମ ସମନ୍ବୟ ରଖି ଦାୟିତ୍ବ ନିର୍ବାହ ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ଧାନ ଅମଳ ଓ ଏହାର କ୍ଷୟକ୍ଷତିର ଆକଳନ ଉପରେ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ଜିଲ୍ଲାରେ ଧାନ କଟା ନିର୍ଦ୍ଧାରିତ ସମୟରେ ଚାଲୁରହିଛି । ଅମଳ ସଠିକ୍ ଭାବେ ହେବ ବୋଲି ଆଶା କରାଯାଉଛି। ଖରିଫ ଋତୁରେ ବନ୍ୟାପ୍ଲାବିତ ଅଂଚଳର ଉପଯୁକ୍ତ ଚାଷୀଙ୍କୁ ଚୟନ କରାଯାଇ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ନିୟମ ଅନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ । ଏହା ସହିତ ଦୁର୍ବିପାକ ଦ୍ଵାରା ପାଣିରେ ବୁଡି ମରିବା , ବଜ୍ରପାତ , ସାପ କାମୁଡା ଓ ଅଂଶୁ ଘାତ ଭଳି ବିପର୍ଯ୍ୟୟରେ ମୃତ୍ୟୁବରଣ କରୁ ଥିବା ବ୍ୟକ୍ତିମାନଂକର ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ସିଧାସଳଖ ସେମାନଂକର ବ୍ୟାଂକ ଖାତାକୁ ପ୍ରଦାନ କରାଯାଉଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଚାଷୀମାନଂକୁ ସେମାନଂକର ଚାଷ କାର୍ଯ୍ୟ ନିମନ୍ତେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ସୌର ଜଳନିଧି ଯୋଜନାରେ ୧୧୫ଟି ପମ୍ପସେଟ୍ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ଥିଲା । ବର୍ତ୍ତମାନ ସୁଦ୍ଧା ୮୭ ଜଣ ଆବେଦନ କରିଛନ୍ତି ଓ ୯ଟି ପମ୍ପସେଟ୍ ପ୍ରଦାନ କରାଯାଇ କାର୍ଯ୍ୟକ୍ଷମ କରାଯାଉଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ମୁଗ , ବିରି ଓ ଆଳୁଚାଷ କରୁ ଥିବା ଚାଷୀମାନଂକର ଫସଲକୁ ବୀମାଭୁକ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଏହାଛଡା ଚାଷୀମାନଂକୁ ବିଭିନ୍ନ ଫସଲ ପାଇଁ ଗୁଣବତ୍ତା ପ୍ରମାଣଯୁକ୍ତ ୫୦୦ କ୍ଲିଣ୍ଟାଲ ବିହନ ଜିଲ୍ଲାର ସମସ୍ତ ବ୍ଲକ ମାଧ୍ୟମରେ ପ୍ରଦାନ କରାଯାଇଛି । ଘରପୋଡି ପାଇଁ ଜିଲ୍ଲାରେ ସମୁଦାୟ ୨୪ ଗୋଟି ପରିବାରକୁ ୫ଲକ୍ଷ ୩୨ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ଅନ୍ୟମାନଂକ ମଧ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀ ବୈତୁରା ଦିପ୍ , ଜିଲ୍ଲା ପରିଯୋଜନା ଅଧିକାରୀ ( oSDMA ) ଶ୍ରୀ ପ୍ରଦ୍ୟୁଷ କୁମାର ଶତପଥି ଯୋଗ ଦେଇଥିବାବେଳେ ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶ୍ରୀ ନିରାକାର କିଷାନ ଓ ଶ୍ରୀ ଲମ୍ବୋଦର ବେହେରା ବୈଠକର ଆବଶ୍ୟକ ସୂଚନା ପ୍ରଦାନରେ ସହଯୋଗ କରିଥଲେ ।



