କଟକ (ଆମ ପ୍ରତିନିଧି): ରାଜ୍ୟର ସର୍ବବୃହତ ସରକାରୀ ଚିକିତ୍ସାଳୟ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ସ୍ତରରେ ରବିବାର ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବାରିପଦା ପିଆରଏମ ମେଡିକାଲ କଲେଜର ଡିନ୍ ଥିବା ପ୍ରଫେସର (ଡକ୍ଟର) ପ୍ରତିଭା ପଣ୍ଡାଙ୍କୁ ଏସସିବିର ନୂତନ ଡିନ୍ ଏବଂ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନର ଡିନ୍ ପ୍ରଫେସର ଲୁସି ଦାସଙ୍କ ସ୍ଥାନ ନେବେ।
ନୂଆ ଅଧୀକ୍ଷକ ଓ ଅନ୍ୟାନ୍ୟ ନିଯୁକ୍ତି: ଏସସିବିର ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି (FMT) ବିଭାଗର ମୁଖ୍ୟ ଡକ୍ଟର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ମେଡିକାଲର ନୂତନ ଅଧୀକ୍ଷକ ଭାବେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି, ଏସସିବି ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ଡକ୍ଟର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ପଦୋନ୍ନତି ଦିଆଯାଇ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (PRM) ମେଡିକାଲ କଲେଜର ଡିନ୍ ଓ ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି।
ବଦଳିର କାରଣ ଓ ପରିଣାମ: ସୂଚନାଯୋଗ୍ୟ ଯେ, ନିକଟରେ ଏସସିବି ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ପରେ ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ପୂର୍ବତନ ଡିନ୍ ଲୁସି ଦାସଙ୍କୁ ଏବେ କାର୍ଡିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜରୀ (CTVS) ବିଭାଗରେ ପ୍ରଫେସର ଭାବେ ଦାୟିତ୍ୱ ଦିଆଯାଇଛି।
ଏହା ବ୍ୟତୀତ ସୁନ୍ଦରଗଡ଼ ଏବଂ ବ୍ରହ୍ମପୁର ମେଡିକାଲ କଲେଜର କିଛି ବରିଷ୍ଠ ଚିକିତ୍ସକଙ୍କୁ ମଧ୍ୟ ଏହି ଅଦଳବଦଳ ପ୍ରକ୍ରିୟାରେ ସାମିଲ କରାଯାଇଛି। ଏହି ନୂତନ ନିଯୁକ୍ତି ଦ୍ୱାରା ଏସସିବିର ଶିକ୍ଷାଦାନ ଏବଂ ରୋଗୀ ସେବାରେ ସଂସ୍କାର ଆସିବ ବୋଲି ବିଭାଗ ଆଶା ରଖିଛି।



