ପି.ଏସ୍ଏସ୍ ଜେ ଜୁନିଅର କଲେଜର ଅଚଳାବସ୍ଥା

ଅନୁଗୁଳ, ୩୦-୪-୨୬ (ଧନଞ୍ଜୟ ପ୍ରଧାନ) – ପାଞ୍ଚଗଡ ସୋମନାଥ ସିଂ ଜଗଦେବ (ପିଏସ୍ଏସ୍ ଜେ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩ ମାସ ହେଲା ନିୟମିତ ଅଧ୍ୟକ୍ଷ ନାହାନ୍ତି। ଯାହାଫଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଚଳାବସ୍ଥା ଦେଖା ଦେଇଥିଲା ବେଳେ କର୍ମଚାରୀଙ୍କୁ ସେବେଠାରୁ ଦରମା ପାଇନାହାନ୍ତି। ସରକାର ମଧ୍ୟ କୋଣସି ପଦକ୍ଷେପ ନେଉନାହାନ୍ତି।

ଏହାକୁ ନେଇ କର୍ମଚାରୀମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପିଏସ୍ଏସ୍ ଜେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ଅଶୋକ କୁମାର ପ୍ରଧାନ ଗତ ଜାନୁଆରୀ ମାସରୁ ଅବସର ନେଇଛନ୍ତି। ଏହା ପରେ ମଧ୍ୟ ସରକାର କାହାକୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇନାହାନ୍ତି।କେବଳ ପୂର୍ବତନ ଅଧ୍ୟକ୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଅନୁପମା ଦାସଙ୍କୁ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନେଇଛନ୍ତି,ଯାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପତ୍ର ସଂଖ୍ୟା-୫୦୮୩୯/ତା-୧୭-୧୨-୨୦୨୪ ପତ୍ର ର ଉଲ୍ଲଂଘନ କରୁଛି। ପ୍ରକାଶ ଥାଉକି, ଅଧ୍ୟାପିକା ଅନୁପମା ଦାସ ଆସନ୍ତା ଜୁଲାଇ ୨୦୨୬ ମାସରେ ଅବସର ନେବେ। କିନ୍ତୁ ସରକାରୀ ସ୍ତରରେ ତାଙ୍କ ନିଯୁକ୍ତି ନେଇ କୌଣସି ପତ୍ର ପାଇନଥିବାରୁ ତାଙ୍କୁ ଆର୍ଥିକ କାରବାର କ୍ଷମତା କରାଯାଇନାହିଁ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏମିତି ସମସ୍ୟା ନେଇ କର୍ମଚାରୀମାନେ ଏ ଭିତରେ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏପଟେ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା -୧୫୬୫ ତା-୧୧-୦୨-୨୦୨୬ ଓ ପତ୍ର ସଂଖ୍ୟା -୨୯୭୬ ତା-୧୬-୦୩-୨୦୨୬ ପକ୍ଷରୁ ଏନେଇ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ବରିଷ୍ଠ ଅଧ୍ୟାପକ ଅଧ୍ୟକ୍ଷ ଓ ଆର୍ଥିକ କାରବାର କ୍ଷମତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ କର୍ମଚାରୀମାନେ
ଯେମିତି ଦରମା ପାଇବେ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ତଥାପି ସ୍ଥିତି ସୁଧୁରିନି। ଏପଟେ ପୂର୍ବତନ କିରାଣୀ ଦୁଃଖବନ୍ଧୁ ପରିଡ଼ା ପିଏସ୍ଏସ୍ ଜେ ବିଦ୍ୟାଳୟର ପରିଚାଳନା କମିଟି ତଥା ଉପଜିଲ୍ଲାପାଳ ଅନୁଗୁଳଙ୍କ ନିର୍ଦ୍ଦେଶନାରେ ପୁନଃ ନିଯୁକ୍ତି ହୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ଯେଉଁମାନେ ନିୟମିତ କିରାଣୀ ଅଛନ୍ତି ସେମାନଙ୍କୁ କିଛି ବି ବିଷୟରେ ଅବଗତ କରାଉନାହାନ୍ତି। ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗୀୟ ଉଚ୍ଚ ପଦାଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ବାକି ରହିଲା।




