ଉଦ୍ଯାପିତ ହେଲା ୨୨ତମ ହିଙ୍ଗୁଳା ଲୋକ ମହୋତ୍ସବ

ତାଳଚେର, ୦୯/୦୪ ତାଳଚେର ବ୍ଲକ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠରେ ଚାଲିଥିବା ନବାଦିନାତ୍ମକ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ଼ର ମ୍ୟାନେଜିଂ ଟ୍ରଷ୍ଟି ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପଂଚାୟତରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାଏକ, ସମ୍ମାନୀତ ଅତିଥି ଭାବରେ ବିଧାୟକ ବ୍ରଜକିଶୋର ପ୍ରଧାନ, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତାଳଚେର ରାଜା ବିଜେୟନ୍ଦ୍ର ଚନ୍ଦ୍ର ଦେବ ମଂଚାସୀନ ହୋଇଥିଲେ । ଏହି ଅବସରରେ ଅତିଥିମାନେ ମା’ଙ୍କ ମହିମା ସମ୍ପର୍କରେ ବର୍ଣ୍ଣନା କରିବା ସହ ଆଗାମୀ ବର୍ଷ ହେବାକୁ ଥିବା ହିଙ୍ଗୁଳା ଯାତ୍ରା ପୂର୍ବରୁ ମା ହିଙ୍ଗୁଳାଙ୍କ ଅସଂପୂର୍ଣ୍ଣ ମନ୍ଦିରକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ବୋଲି କହିଥିଲେ । ଏହି ଅବସରରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରକାଶିତ ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ଅଗ୍ନିସ୍ନାତାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହାସହିତ ତାଳଚେରର ଡିଏଭି ଡ୍ୟାନ୍ସ ଷ୍ଟୁଡ଼ିଓର କଳାକାରମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ରାସଲୀଳା ଓ ଅନୁଗୋଳର ନୃତ୍ୟାଙ୍ଗନା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ଶିବ ତାଣ୍ଡବ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ସେହିପରି ଅନୁଗୋଳର ନିକ୍ୱଣ ଡ୍ୟାନ୍ସ ଗ୍ରୁପ, ନୃତ୍ୟ କଳା ଏକାଡେମୀର କଳାକାରମାନଙ୍କ ଦ୍ୱାରା ପରିବେଷିତ ନୃସିଂହ ଅବତାର, ଗୁରୁ ଅନୀତା ସିଂହଦେଓଙ୍କ ନିର୍ଦ୍ଦେଶନାରେ ପରିବେଷିତ ପୂର୍ବ ଭାରତର ଲୋକନୃତ୍ୟ, ଗଞ୍ଜାମ ଜିଲ୍ଲାର ବିଚିତ୍ର ବର୍ଣ୍ଣାଳୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ କଣ୍ଢେଇ ନୃତ୍ୟ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା ।



