ତାଳଚେର ଷ୍ଟାଡ଼ିୟମରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ
ପୋଲିସ୍ ନିଷ୍କ୍ରିୟ, ସିସିଟିଭି କାହାସ୍ୱାର୍ଥ!
ତାଳଚେର, ୦୯/୦୪ ବହୁ ପ୍ରତୀକ୍ଷିତ ଦାବି ଓ ପ୍ରତିବାଦ ଜଣାଇବା ପରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ତାଳଚେରର ବହୁ ପୂରାତନ ଷ୍ଟାଡ଼ିୟମଟି ନୂତନ ରୂପ ପାଇବାକୁ ବସିଛି । ମାତ୍ର ଏହାର କାର୍ଯ୍ୟ ଶେଷ ହେବାକୁ ଅଳ୍ପ ଦିନ ବାକି ରହିଥିବା ବେଳେ ଏହି ଷ୍ଟାଡ଼ିୟମଟିରୁ ବାରମ୍ବାର ଲକ୍ଷାଧିକ ଟଙ୍କାର କେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହେଉଥିବାରୁ ଠିକାଦାର କ୍ଷତି ସହିନପାରି କାଯ୍ୟ ଛାଡ଼ି ଚାଲିଯିବେ ବୋଲି ଶୁଣିବାକୁ ମିଳୁଛି । ଏହି ଷ୍ଟାଡ଼ିୟମରେ ମାତ୍ର ଦୁଇଜଣ ଠିକା ଜଗୁଆଳୀ ଜଗୁଥିବା ବେଳେ କେବଳ ଏହା ପବନକୁ ଆଖି ଠାର ମାରିବା ସଦୃଶ୍ୟ ହୋଇଛି । ଅପରପକ୍ଷେ ଏହି ଷ୍ଟାଡ଼ିୟମଟି ଟାଉନ ଥାନା ଠାରୁ ମାତ୍ର ୧କିମି ଦୂର ହୋଇଥିବା ବେଳେ ଏହି ଷ୍ଟାଡ଼ିୟମରୁ ଏକାଧିକ ଥର ଚୋରୀ ହୋଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ଭୂମିକା ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚୋରୀ, ରାହାଯାନୀ, ଡ଼କାୟତି, ଡ଼୍ରଗ୍ସବେପାରୀ, ଗୋଡ଼ି, ବାଲି, ମୋରମ, କୋଇଲା ଚୋରୀ ଇତ୍ୟାଦିକୁ ଜଗିବାକୁ ଲକ୍ଷାଧିକ ଟଙ୍କା ବିନିମୟରେ ତାଳଚେରର ବିଭିନ୍ନ ସ୍ଥାନରେ ସିସିକ୍ୟାମେରା ଖଞ୍ଜା ଯାଇଛି । ମାତ୍ର ଏଗୁଡିକ କାହା ସ୍ୱାର୍ଥରେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଙ୍କି ମାରୁଛି । ସହରର ସିସିଟିଭିର ସଂଯୋଗ ଏସଡ଼ିପିଓଙ୍କ କାର୍ଯ୍ୟାଳୟ ଓ ଥାନାରେ ରହିଥିଲେ ମଧ୍ୟ ଅପରାଧିକ କାର୍ଯ୍ୟ କିପରି ଦେଖାଯାଉନଥିବା ବେଳେ କେବଳ ବିନା ହେଲମେଟରେ ଗାଡ଼ି ଚାଳନା କରିବା ଓ ଜୋରିମନା କଷିବା ଦେଖାଯାଉଛି ତାକୁ ନେଇ ପ୍ରତ୍ୟେକ ଛକରେ ଚର୍ଚ୍ଚା ଲାଗି ରହିଛି । ସତେ ଯେପରି ଡ଼କାୟତି ମାନଙ୍କୁ ଧରିଲା ଭଳି ତାଳଚେର ଅଂଚଳରେ ପୋଲିସ୍ ବାବୁ କେବଳ ବିଭିନ୍ନ ଅନ୍ଧାରୁଆ ଛକ ସ୍ଥାନରେ ଗୁଡ଼ିକରେ ରହି ମଦ୍ୟପୀ ଗାଡ଼ିଚାଳକମାନଙ୍କୁ ଜୋରିମନା ଆଦାୟ କରିବାରେ ମାଷ୍ଟର ସାଜିଥିବା ବେଳେ ଏପଟେ ଅପରାଧିକ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ୍ ନୀରବତା ସାଜିଥିବା କୁହାଯାଉଛି । ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବାନେଇ ସାଧାରଣରେ ଦାବି ହେଉଛି ।



