ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ଏଥିପାଇଁ ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବାକୁ ଥିବା ଏହି ଜନଗଣନା କାର୍ଯ୍ୟକୁ ଠିକ ଭାବେ ପରିଚାଳନା କରିବା ପାଇଁ ୯୦, ୨୦୦ ଜଣ ଜନଗଣନା ଅଧିକାରୀ ଏବଂ ୧୫,୧୪୦ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଘର ଗଣତି ସହ ନମ୍ବରିଂ ଏବଂ ଘରର ମୁଖ୍ୟଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଜନଗଣନା ନିର୍ଦ୍ଦେଶାଳୟକ ସୂଚନା ଅନୁଯାୟୀ, ପ୍ରତି ଜନଗଣନା ଅଧିକାରୀଙ୍କୁ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ଦିଆଯାଇଛି । ଏଥିପାଇଁ ଜଣଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ପଡିବ । ସେମାନେ ପ୍ରତି ଗଳିକନ୍ଦି ବୁଲି ଘର ଗଣିବେ ଏବଂ ଘର ନମ୍ବରିଂ କରିବେ । ଏହାସହ ଘରର ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ ପଚାରିବେ । ଏଯାଏଁ, ସାରା ଦେଶରେ ୧୨ ଲକ୍ଷରୁ ଅଧିକ ପରିବାର ଆକଳନ ଜରିଆରେ ଆତ୍ମଗଣନା ସମାପ୍ତ କରିଛନ୍ତି । ଏହି ପରିବାର ମଧ୍ୟରୁ ଅଧାରୁ ଅଧିକ ପରିବାର ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରିଛନ୍ତି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ , ଗୋଆ, କର୍ଣ୍ଣାଟକ, ଓଡିଶା, ଏନଡିମିସି ଏବଂ ଦିଲ୍ଲୀ ଏନସିଆରର କ୍ୟାଣ୍ଟମେଣ୍ଟ ଅଞ୍ଚଳ, ମିଜୋରାମ, ସିକିମ ଏବଂ ଲାକ୍ଷାଦ୍ୱୀପରେ ଆତ୍ମଗଣନା ପାଇଁ ୧୫ ଦିନିଆ ସମୟ ବୁଧବାର ଶେଷ ହୋଇଛି । ଏବେ ଏହି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଘରକୁ ଘରର ଗଣନା ଆଜିଠୁ ଆରମ୍ଭ ହେବ । ଏହା ଗୋଟିଏ ମାସ ଅର୍ଥାତ ମେ ୧୫ ତାରିଖ ଯାଏଁ ଜାରି ରହିବ ।



