କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ଗଣଧାରଣା
ତାଳଚେର,୧୮/୦୫ ଥଇଥାନ, ନିଯୁକ୍ତି ଦାବୀ ନେଇ ତାଳଚେର ବ୍ଲକ କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ହିଙ୍ଗୁଳା ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ କରାଯାଇଛି । ଆଜି ସକାଳୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବଉଳପୁରସ୍ଥିତ ହିଙ୍ଗୁଳା ମହାପ୍ରବନ୍ଧକ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ନିଜର ଦାବୀ ପୂରଣ ପାଇଁ ଗଣ ଧାରଣାରେ ବସିଥିଲେ । ସୂଚନାରୁ ପ୍ରକାଶ ଯେ କଳମଛୁଇଁ ଗ୍ରାମଟି ଦୀର୍ଘ ୨୬ ବର୍ଷ ହେଲା ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ର ଦ୍ୱାରା ଅଧିଗ୍ରହଣ କରାଯାଇଥିବା ବେଳେ ଗ୍ରାମବାସୀମାନଙ୍କୁ ଅଦ୍ୟାବଧି ଥଇଥାନ କରିବା ପାଇଁ କୌଣସି ଜାଗା ଦିଆଯାଇନାହିଁ । ତାହା ସହିତ କିଛି ଗ୍ରାମବାସୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଅବଶିଷ୍ଟ ନିଯୁକ୍ତିଗୁଡ଼ିକୁ ମଧ୍ୟ ପ୍ରଦାନ କରିବାରେ ଖଣି କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତାହା ସହିତ କଳମଛୁଇଁ ଗ୍ରାମର କିଛି ଜମିରେ ଖଣି ଖନନ କାର୍ଯ୍ୟ କରିବାକୁ ଏମ୍ସିଏଲ୍ ପକ୍ଷରୁ ଗ୍ରାମବାସୀମାନଙ୍କୁ କୁହାଯାଇଥିଲେ ମଧ୍ୟ ନିଜର ଦାବୀ ପୂରଣ ନହେଲେ ଇଂଚେ ଜାଗା ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ମନା କରିଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଏମ୍ସିଏଲ୍ କର୍ତୃପକ୍ଷ ନିଯୁକ୍ତି ପାଇଥିବା କିଛି ଯୁବକ,ଯୁବତୀଙ୍କୁ କାର୍ଯ୍ୟରୁ ବସାଇ ଦେବାରୁ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ତେଣୁ ଏହାର ବିରୋଧ କରିବାକୁ ଯାଇ ଆଜି କଳମଛୁଇଁ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଖଣି କର୍ତୃପକ୍ଷଙ୍କ ବିରୋଧରେ ଗଣ ଧାରଣାରେ ବସିଛନ୍ତି । ସମସ୍ୟାର ସମାଧାନ ପାଇଁ ଏମ୍ସିଏଲ୍ର ଉଚ୍ଚପଦସ୍ଥ ଅଧିକାରୀମାନେ ଗ୍ରାମବାସୀଙ୍କୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀମାନେ ନିଜର ନାର୍ଯ୍ୟ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି ରୋକ୍ଠୋକ୍ ମନା କରି ଦେଇଥିଲେ । ଏମ୍ସିଏଲ୍ କର୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବାରୁ ଆସନ୍ତା କାଲିଠାରୁ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା, ବଳରାମ କୋଇଲା ଖଣି ସହ ହିଙ୍ଗୁଳା ମହାପ୍ରବନ୍ଧକ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି ।



