ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ କୋଠରୀ ଭିତରେ ଶ୍ରୀବିଗ୍ରହ ମାନଙ୍କ ଗୁପ୍ତ ସେବା ଆରମ୍ଭ କରିଛନ୍ତି ।
ଅପରପକ୍ଷରେ ଦଶାବତାର ଠାକୁରଙ୍କ ସହ ପଟି ଦିଅଁଙ୍କ ପୂଜା ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ପ୍ରତିବଦଳରେ ପଟିଦିଅଁ ପୂଜା ପାଉଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ର ଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ପଟି ଦିଅଁ ପୂଜା ପାଉଛନ୍ତି । ଆଜି ସକାଳୁ ପଟିଦିଅଁ ସମ୍ମୁଖରେ ଆଳତି ଓ ଅନାନ୍ୟ ନୀତିକାନ୍ତି କରାଯାଉଛି । ଅଣସର ତାଟି ସମ୍ମୁଖରେ ପଟି ଦିଅଁ ଖଟୁଲି ଉପରେ ଦଶଅବତାର ଠାକୁର ବିଜେ କରିଛନ୍ତି ଅଣସରରେ ଥିବା ଠାକୁରଙ୍କୁ ଚକଟା ଓ ପଣା ଭୋଗ କରାଯାଉଛି । ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ବଂଚିତ ଭକ୍ତ ଓ ସେବାୟତ ।



