ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ, ୦୩.୦୬ : ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ମାସ ୧୬ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ଓ ଜୁଲାଇ ୨୫ ତାରିଖରେ ହେବାକୁ ଥିବା ବାହୁଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାସ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଚଳିତ ବର୍ଷର ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ଓ ରଥଯାତ୍ରାରେ ପୂର୍ବ ବର୍ଷ ମାନଙ୍କରେ ପରିଲକ୍ଷିତ ହୋଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସେଗୁଡିକର ସମାଧାନ ନିମନ୍ତେ ଅନୁରୋଧ କରିଥିଲେ । ଏହାପରେ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନ କରିବାକୁ ଦାୟିତ୍ୱରେ ଥିବା ଅନୁଗୋଳ ଉପଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଏହାଛଡା ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାର୍ଶ୍ୱ ରାସ୍ତା ମରାମତି, ଶୁଖିଲା ଗଛ ଡାଳ କାଟିବା, ଅସ୍ଥାୟୀ ଦୋକାନଗୁଡିକର ସ୍ଥାନାନ୍ତର ଇତ୍ୟାଦି କାର୍ଯ୍ୟ ରଥ ଯାତ୍ରା ପୂର୍ବରୁ ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଭକ୍ତମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା, ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଏବଂ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।




