ବଅଁରପାଳ ଆର୍ଆଇ କାର୍ଯ୍ୟାଳୟକୁ ପ୍ରବେଶ କରିବାର ମଜା ନିଆରା; ଶୋଚନୀୟ ରାସ୍ତାରେ ହନ୍ତସନ୍ତ ଲୋକେ
ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଆର୍ଆଇ କାର୍ଯ୍ୟାଳୟର ପ୍ରବେଶ ପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କାର୍ଯ୍ୟାଳୟର ଫାଟକଠାରୁ ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ରାସ୍ତାରେ ବର୍ଷା ପାଣି, ପଙ୍କ ଓ ଶିଉଳି ଜମି ରହିଥିବାରୁ ପ୍ରତିଦିନ ଆସୁଥିବା ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ସ୍ଥାନୀୟଙ୍କ କହିବା ଅନୁଯାୟୀ, ରାସ୍ତାଟି ଅତ୍ୟନ୍ତ ଖରାପ ହୋଇଯାଇଥିବାରୁ ଯେକୌଣସି ସମୟରେ ଦୁର୍ଘଟଣା ଘଟିପାରେ। ବିଶେଷକରି ବୃଦ୍ଧ, ମହିଳା ଓ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟାଳୟକୁ ଯିବା ବହୁତ କଷ୍ଟସାଧ୍ୟ ହୋଇପଡ଼ିଛି।
ଅଭିଯୋଗ ହେଉଛି, ଅଧିକାଂଶ ଅଧିକାରୀ ଗାଡ଼ିରେ ଯାତାୟାତ କରୁଥିବାରୁ ଏହି ସମସ୍ୟାର ପ୍ରକୃତ ଚିତ୍ରକୁ ଅନୁଭବ କରିପାରୁନାହାନ୍ତି। କିନ୍ତୁ ପ୍ରତିଦିନ କାମରେ ଆସୁଥିବା ସାଧାରଣ ଲୋକେ ଜୀବନକୁ ବିପଦରେ ପକାଇ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି।
ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ରାସ୍ତାର ମରାମତି ସହ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।



