ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହେଲା ୭୮-ଜୁନାଗଡ଼ର ନିର୍ବାଚନୀ ମଣ୍ଡଳୀର ଖସଡ଼ା ଭୋଟର ତାଲିକା

ଜୁନାଗଡ,୫/୭(ବାଲେଶ୍ୱର ସୁନାନୀ ): ଭାରତ ନିର୍ଵାଚନ ଆୟୋଗ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ ପରିପ୍ରେକ୍ଷୀରେ ୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା (ଡ୍ରାଫ୍ଟ ଇଲେକ୍ଟ୍ରରାଲ ରୋଲ୍) ଆଜି ପ୍ରକାଶ କରଯାଇଛି। ଆଜି ପଞ୍ଚାୟତ ସମିତି ଜୁନାଗଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସମସ୍ତ ରାଜନୈତିକ ଦଳ ମାନଙ୍କୁ ସ୍ବତନ୍ତ୍ର ସଘନ ସଂଶୋଧନ ଖସଡ଼ା ଭୋଟର ତାଲିକା ପ୍ରକାଶ ହେଲା ପରେ ଭୋଟର ତାଲିକା ପ୍ରଦାନ କରିଥିଲେ।ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ, ୭୮-ଜୁନାଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀରେ ପୂର୍ବରୁ ମୋଟ ୨ ଲକ୍ଷ ୪୪ ହଜାର ୮୮୦ ଜଣ ଭୋଟର ଥିଲେ ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ଯାଇ କରାଯାଇଥିବା ଯାଞ୍ଚ ରେ ୨ ଲକ୍ଷ ୩୩ ହଜାର ୬୨୨ ଜଣ ଭୋଟରଙ୍କୁ ସଫଳତାର ସହ ଚିହ୍ନଟ କରାଯାଇଛି।
ଏହି ଯାଞ୍ଚ ସମୟରେ ୧୧ ହଜାର ୨୫୮ ମୃତ,୪ ହଜାର ୪୭୪ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ,୫୭୯ ଜଣ ଅନ୍ୟତ୍ର ପଞ୍ଜିକୃତ,୬୦୮ ଜଣ ଅନୁପସ୍ଥିତ ଓ ୩୧ ଜଣ ଅନ୍ୟାନ୍ୟ ବୈଧ କାରଣରୁ ଏପରି ମୋଟ ୧୧ ହଜାର ୨୫୮୮ ଜଣ ଭୋଟର ତାଲିକା ରୁ ବାଦ ପାଇଁ ଚିହ୍ନଟ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ସୁଚନା ପ୍ରଦାନ କରିଥିଲେ। ଏହା ବ୍ୟତୀତ,ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକର ଯୁକ୍ତି ସଙ୍ଗତ ପରିବର୍ତ୍ତନ କରାଯାଇ ପୂର୍ବରୁ ଥିବା ୨୭୫ଟି ଭୋଟଗ୍ରହଣ କେନ୍ଦ୍ର ସହ ଅତିରିକ୍ତ ୫୭ଟି ନୂତନ ଭୋଟଗ୍ରହଣ କେନ୍ଦ୍ର ସୃଷ୍ଟି କରାଯାଇ ଥିବାରୁ ୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୩୩୨ଟି ଭୋଟଗ୍ରହଣ କେନ୍ଦ୍ର ରହିଛି। ଯାଞ୍ଚ ହୋଇଥିବା ଭୋଟର, ବାଦ ପାଇଥିବା ଭୋଟର ଏବଂ ବ୍ଲକ ଭିତ୍ତିକ ଓ ବର୍ଗ ଭିତ୍ତିକ ର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ସଂଲଗ୍ନ କରାଯାଇଛି। ଏହି ଖସଡ଼ା ଭୋଟର ତାଲିକା ଉପରେ ଦାବୀ ଓ ଆପତ୍ତି ଦାଖଲ କରିବାର ସମୟ ସୀମା ଆଜି ଠାରୁ ଆସନ୍ତା ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିଛି।
ଦାବୀ ଓ ଆପତ୍ତି ସମ୍ବନ୍ଧୀୟ ନୋଟିସ ଜାରୀ ଏଵଂ ଶୁଣାଣି କାର୍ଯ୍ୟ ୫.୭ ଠାରୁ ୨.୯ପର୍ଯ୍ୟନ୍ତ କରାଯିବ।ସମସ୍ତ ଦାବୀ ଓ ଆପତ୍ତି ର ସମାଧାନ ପରେ ଆସନ୍ତା ସେପ୍ଟେମ୍ବର ୬ ତାରିଖ ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।ସମସ୍ତ ରାଜନୈତିକ ଦଳ,ବୁଥ ସ୍ତରୀୟ ଏଜେଣ୍ଟ,ଭୋଟର ଏଵଂ ସାଧାରଣ ଜନ ସାଧାରଣ ପ୍ରକାଶିତ ଭୋଟର ତାଲିକାକୁ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦାବୀ କିମ୍ୱା ଆପତ୍ତି ଦାଖଲ କରନ୍ତୁ ବୋଲି ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଆଜିର ସ୍ୱତନ୍ତ୍ର ସଘନ ବୈଠକରେ ୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ,ବିଜେଡି, ବିଜେପି ,କଂଗ୍ରେସ,ପ୍ରମୁଖ ଦଳର ପ୍ରତିନିଧି ଓ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।




