ଭୁବନେଶ୍ୱର- (ଜାଗ୍ରତ ଭାରତ) ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସୁରକ୍ଷା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଛି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇ କହିଛନ୍ତି ଯେ, ରଥଯାତ୍ରା ସମୟରେ ଯେକୌଣସି ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସଫଳ ମୁକାବିଲା ପାଇଁ ୨୩୦ ଜଣ ଏମବିବିଏସ ଡାକ୍ତର ଏବଂ ୬୬ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।
ସେହିପରି, ରୋଗୀସେବାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ୨୦୦ ଜଣ ନର୍ସିଂ ଅଫିସର ଏବଂ ୨୨୯ ଜଣ ପାରାମେଡିକାଲ୍ କର୍ମଚାରୀଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ, ଭକ୍ତମାନଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସେମାନଙ୍କ ସୁରକ୍ଷିତ ଦର୍ଶନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଟିମ୍ ସଜାଗ ଓ ପ୍ରସ୍ତୁତ ରହିଛନ୍ତି।



