ଅନୁଗୋଳ ରଥଯାତ୍ରା ଉତ୍ସବରେ ସାମିଲ ହେଲେ ନବୀନ ଜିନ୍ଦଲ;
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପୁରୀରେ ୧୨ତମ ବାର୍ଷିକ ‘ଅନ୍ନ ସେବା’ କାର୍ଯ୍ୟକ୍ରମର ଶୁଭାରମ୍ଭଅନୁଗୋଳ/ପୁରୀ (ଓଡ଼ିଶା) – ୧୬ ଜୁଲାଇ, ୨୦୨୬: ଆସ୍ଥା, ସମାନତା ଏବଂ ସାମୂହିକ ଭକ୍ତିର ମହାପର୍ବ ରଥଯାତ୍ରା ଅବସରରେ ଆଜି ଦେବଭୂମି, ଜିନ୍ଦଲ ନଗର, ଅନୁଗୋଳରେ ଆୟୋଜିତ ବାର୍ଷିକ ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ‘ଆଦ୍ୟ ସେବକ’ ଭାବେ ଏହି ଆଧ୍ୟାତ୍ମିକ ଯାତ୍ରାର ନେତୃତ୍ୱ ନେଇଥିଲେ। ସେ ଭକ୍ତମାନଙ୍କ ସହ ମିଶି ରଥ ଟାଣି ସେବା ହିଁ ପ୍ରକୃତ ନେତୃତ୍ୱର ପରିଚୟ ବୋଲି ସୂଚୀତ କରିଥିଲେ।
ନିଜ ମାତା ଶ୍ରୀମତୀ ସାବିତ୍ରୀ ଜିନ୍ଦଲ ଏବଂ ପତ୍ନୀ ତଥା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ସହ ଶ୍ରୀ ନବୀନ ଜିନ୍ଦଲ ପାରମ୍ପରିକ ‘ଛେରା ପହଁରା’ ନୀତି ପାଳନ କରିଥିଲେ। ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ଏହି ପବିତ୍ର ‘ଛେରା ପହଁରା’ ପରମ୍ପରା ପ୍ରତି ବର୍ଷ ଭଳି ଅନୁଷ୍ଠିତ ହୋଇଥିଲା ।
ଏହି ଭାବପ୍ରବଣ ଏବଂ ଏକତାର ପର୍ବ ସମ୍ପର୍କରେ ନିଜର ଅନୁଭୂତି ବ୍ୟକ୍ତ କରି ଶ୍ରୀ ଜିନ୍ଦଲ କହିଥିଲେ, “ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ। ଶ୍ରଦ୍ଧାଳୁମାନଙ୍କ ସହ ପବିତ୍ର ରଥ ଟାଣିବା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଆମ ସମସ୍ତଙ୍କ ପାଇଁ ପରମ ସୌଭାଗ୍ୟର ବିଷୟ। ଜିନ୍ଦଲ ପରିବାର ପକ୍ଷରୁ ସମସ୍ତଙ୍କୁ ପବିତ୍ର ଓ ମଙ୍ଗଳମୟ ରଥଯାତ୍ରାର ଅନେକ ଶୁଭେଚ୍ଛା।”
ଏହି ଆଧ୍ୟାତ୍ମିକ ଭକ୍ତିକୁ ଅର୍ଥପୂର୍ଣ୍ଣ ସେବାରେ ପରିଣତ କରିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କ୍ରମାଗତ ୧୨ତମ ବର୍ଷ ପାଇଁ ପୁରୀରେ ‘ଅନ୍ନ ସେବା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ୧୫ ଜୁଲାଇରୁ ୨୫ ଜୁଲାଇ, ୨୦୨୬ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବାକୁ ଥିବା ଏହି ସେବା କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ତାଜା ପୁଷ୍ଟିକର ଭୋଜନ ବଣ୍ଟନ କରିବା। ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଖରେ ସମ୍ମାନର ସହ ପହଞ୍ଚିବା ପାଇଁ ଫାଉଣ୍ଡେସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ବସ୍ଷ୍ଟାଣ୍ଡ, ପୁରୀ ରେଳ ଷ୍ଟେସନ ସ୍କ୍ୱାର ଏବଂ ଷ୍ଟେସନ ରୋଡ୍ ନିକଟରେ ତିନୋଟି ରୋଷେଇ ଓ ବଣ୍ଟନ କେନ୍ଦ୍ର ସ୍ଥାପନ କରାଯାଇଛି।
ଏହି କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହି ସମସ୍ତ ଖାଦ୍ୟ ସୁରକ୍ଷା ଏବଂ ସ୍ୱଚ୍ଛତା ନିର୍ଦ୍ଦେଶିକାକୁ କଡ଼ାକଡ଼ି ପାଳନ କରି ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ଯଥା ଭାତ, ଡାଲମା ଓ ଖଟା ପ୍ରସ୍ତୁତ କରି ପରିବେଷଣ କରୁଛନ୍ତି।
ଦଶ ବର୍ଷରୁ ଅଧିକ ସମୟ ଧରି ଜିନ୍ଦଲ ଫାଉଣ୍ଡେସନର ଏହି ରଥଯାତ୍ରା ସେବା ସହାନୁଭୂତି ଏବଂ ସାମୂହିକ ଦାୟିତ୍ୱବୋଧର ଏକ ପ୍ରତୀକ ଭାବେ ପରିଚିତ। ପବିତ୍ର ରଥଯାତ୍ରା ଅବସରରେ ଯେତେବେଳେ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ, ସେତେବେଳେ କୌଣସି ଶ୍ରଦ୍ଧାଳୁ ଯେପରି ଭୋକିଲା ନ ରୁହନ୍ତି, ତାହା ସୁନିଶ୍ଚିତ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।



