ପୁରୀ ଧାମରୁ ଦଧିବାମନ ଧାମକୁ ଆସିଲା ତିନି ରଥର ଚକ ପାଛୋଟି ଆଣିଲେ ହଜାର ହଜାର ଭକ୍ତ

ଭଟଲି (ଅଭିମନ୍ୟୁ ପଧାନ ): ପୁରୀ ଧାମରୁ ଭଟଲି ଦଧିବାମନ ଧାମ କୁ ତିନି ରଥର ଚକ ଆସିଛି I ଶ୍ରୀକ୍ଷେତ୍ର ପୁରୀର ତିନି ରଥର ଭବ୍ୟ ସ୍ବାଗତ କରାଯାଇଥିଲା। ରବିବାର ଶ୍ରୀକ୍ଷେତ୍ର ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥର ତିନୋଟି ରଥଚକକୁ ଭଟଲି ଅଣାଯାଇଥିଲା । ଏହି ଅବସରରେ ଗୋପାଳପୁର ଛକର ନିକଟ ରେ ଥିବା ପବିତ୍ର ରଥ ଚକକୁ ଭବ୍ୟ ସ୍ଵାଗତ କରିବା ସହ ଏକ ବିଶାଳ ଶ୍ରୋତାଯାତ୍ରାରେ ମାଉସୀ ମା’ ମନ୍ଦିର ପରିସରରକୁ ଅଣାଯାଇ ଅସ୍ଥାୟୀ ଭାବେ ସ୍ଥାପନ କରାଯାଇଥିଲା । ଏହି ପବିତ୍ର ତାଳଧ୍ଵଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥଚକ ଶ୍ରୀ ଦଧିବାମନ ଧାମର ଧାର୍ମିକ ମହିମାକୁ ଆହୁରି ସମୃଦ୍ଧ କରିବ ବୋଲି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରକାଶ କରିଥିଲେ । ପବିତ୍ର ରଥଚକ ଗୁଡିକ ଦିନ ପ୍ରାୟ ୧ ଟାରେ ଗୋପାଳପୁର ଠାରେ ଥିବା ଦଧିବାମନ ଗେଟ ନିକଟ ରେ ପହଞ୍ଚିଥିଲା । ସେଠାରୁ ବୈଦିକ ନୀତିକାନ୍ତି ରେ , ଶଙ୍ଖଧ୍ବନି, ଘଣ୍ଟ, ମୃଦଙ୍ଗ, ହରିନାମ ସଂକୀର୍ତ୍ତନ, ପଞ୍ଚବାଦ୍ୟ ଓ ଭକ୍ତମାନଙ୍କ ଜୟ ଧ୍ୱନି ମଧ୍ୟରେ ଏକ ବିଶାଳ ଶୋଭାଯାତ୍ରା ବାହାରି ମାଉସୀ ମା’ ମନ୍ଦିର ଠାରେ ପହଞ୍ଚିଥିଲା । ବିଧାୟକ, ସାଧୁ-ସନ୍ଥ, ସେବାୟତ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ମହିଳା ସଂଗଠନ କର୍ମକରା ଶୋଭାଯାତ୍ରାରେ ସାମିଲ ହୋଇ ଥିଲେ। ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟନ ନିହାରରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ ପ୍ରମୁଖ ମହାପ୍ରଭୁଙ୍କ ତିନି ରଥ ଚକକୁ ଦର୍ଶନ କରିଥିଲେ । ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅତିରିକ୍ତ ତହସିଲଦାର ରୂପେଶ ପାଢ଼ୀ ମାଜିଷ୍ଟ୍ରେଟ୍ ଦାୟିବରେ ଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଜଳପାନ ଏବଂ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଅର୍ବାସିନୀ ଦେବୀଙ୍କୁ ସ୍ବତନ୍ତ୍ର ବୁନ୍ଦି ଭୋଗ ଲାଗି କରାଯାଇଥିଲା।




