ମହାନଦୀ ବିବାଦ ସମାଧାାନ ଦିଗରେ ନୂଆ ପଦକ୍ଷେପ: ଦିଲ୍ଲୀରେ ଏକାଠି ବସିଲେ ଓଡ଼ିଶା-ଛତିଶଗଡ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ୩୧ ଜୁଲାଇ: ବହୁ ବର୍ଷ ଧରି ଚର୍ଚ୍ଚାରେ ଥିବା ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ଶୁକ୍ରବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ସାମିଲ ହୋଇ ଦୀର୍ଘଦିନର ଜଳ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର ଜଳ ଅଧିକାର, ଚାଷୀଙ୍କ ସ୍ୱାର୍ଥ, ସାଧାରଣ ଲୋକଙ୍କ ହିତ ଓ ପରିବେଶ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମାଧାନର ରୂପରେଖା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାବି କରିଥିଲେ।
ଆଲୋଚନା ସମୟରେ ଉଭୟ ରାଜ୍ୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖି ସହଯୋଗ, ସମନ୍ୱୟ ଓ ଗଠନମୂଳକ ବାର୍ତ୍ତାଳାପ ଜରିଆରେ ମହାନଦୀ ଜଳ ସମସ୍ୟାର ସ୍ଥାୟୀ ଏବଂ ସନ୍ତୋଷଜନକ ସମାଧାନ ବାହାର କରିବାକୁ ସମସ୍ତେ ସହମତି ପ୍ରକାଶ କରିଥିଲେ।
ବୈଠକରେ ନିଷ୍ପତ୍ତି ହୋଇଛି ଯେ, କେନ୍ଦ୍ର ଜଳ କମିଶନର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଗଠିତ କମିଟି ଆସନ୍ତା ତିନି ମାସ ମଧ୍ୟରେ ନିଜର ରିପୋର୍ଟ ମହାନଦୀ ଟ୍ରିବ୍ୟୁନାଲରେ ଦାଖଲ କରିବ। ଏହି ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥକୁ ଅକ୍ଷୁଣ୍ଣ ରଖି ସମସ୍ତ ପକ୍ଷର ସହଯୋଗରେ ମହାନଦୀ ଜଳ ବିବାଦର ଶୀଘ୍ର ଓ ସ୍ଥାୟୀ ସମାଧାନ ସମ୍ଭବ ହେବ ବୋଲି ସେ ଆଶାବାଦୀ।



