ଇରାନ ଉପରେ ଆମେରିକାର ପାଲଟା ଆକ୍ରମଣ, ମଧ୍ୟପ୍ରାଚ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା
ବାଗଦାଦ, ୩୧ ଜୁଲାଇ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଆମେରିକୀୟ ସେନା ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ପାଲଟା ଜବାବ ଭାବେ ଆମେରିକା ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କୋର୍ପ୍ସ (IRGC) ସହ ଜଡିତ ଏକାଧିକ ସାମରିକ ଲକ୍ଷ୍ୟସ୍ଥଳ ଉପରେ ବଡ଼ ଧରଣର ବାୟୁ ଆକ୍ରମଣ କରିଥିବା ସୂଚନା ମିଳିଛି।
ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ (CENTCOM) ପକ୍ଷରୁ କୁହାଯାଇଛି ଯେ, ଏହି ଅଭିଯାନରେ IRGCର ଦଶଦଶଟି ସାମରିକ ଘାଟି ଓ କୌଶଳଗତ ଠିକଣାକୁ ଲକ୍ଷ୍ୟ କରାଯାଇଥିଲା। ଏହାପରେ ସମଗ୍ର ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଏହାର ପ୍ରଭାବ ବିଶ୍ୱ ବଜାରରେ ମଧ୍ୟ ଦେଖିବାକୁ ମିଳିଛି ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଆରମ୍ଭ କରିଛି।
ଆମେରିକୀୟ ସୈନ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଜବାବ ଦିଆଯିବ ବୋଲି ସତର୍କ କରିଥିଲେ। ଏହାର କିଛି ସମୟ ପରେ ଏହି ସାମରିକ ଅଭିଯାନ କରାଯାଇଥିବା କୁହାଯାଉଛି।
ଏହି ଘଟଣା ମଧ୍ୟରେ ମିଶରର ଡାମିଏଟା ବନ୍ଦରରେ ଥିବା ଦୁଇଟି ପ୍ରାକୃତିକ ଗ୍ୟାସ ବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଆକ୍ରମଣ ପଛରେ କେଉଁ ସଂଗଠନ କିମ୍ବା ଦେଶର ହାତ ରହିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଏହି ସାମରିକ ତିକ୍ତତା ବ୍ୟାପକ ଆଞ୍ଚଳିକ ସଂଘର୍ଷର ରୂପ ନେଇପାରେ ବୋଲି ଆନ୍ତର୍ଜାତୀୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।



