ଭାରତ-ନେପାଳ ବାଣିଜ୍ୟରେ ନୂଆ ଅଧ୍ୟାୟ: ବିରାଟନଗରରେ ପହଞ୍ଚିଲା ପ୍ରଥମ ସିଧାସଳଖ କଣ୍ଟେନର ମାଲବାହୀ ଟ୍ରେନ୍
ନୂଆଦିଲ୍ଲୀ, ୨ ଅଗଷ୍ଟ: ଭାରତ-ନେପାଳ ମଧ୍ୟରେ ରେଳପଥରେ ମାଲ ପରିବହନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ ହୋଇଛି। କୋଲକାତା ବନ୍ଦରରୁ ନେପାଳର ବିରାଟନଗର କଷ୍ଟମ୍ସ ୟାର୍ଡ ପର୍ଯ୍ୟନ୍ତ ପ୍ରଥମ ସିଧାସଳଖ ବାଣିଜ୍ୟିକ କଣ୍ଟେନର ମାଲବାହୀ ଟ୍ରେନ୍ ସଫଳତାର ସହ ପହଞ୍ଚିଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ସୀମାପାର ମାଲ ପରିବହନ ଆହୁରି ସୁଗମ ଓ ଦ୍ରୁତ ହେବ ବୋଲି ଆଶା କରାଯାଉଛି।
୪୦ଟି ୱାଗନ୍ରେ କାନୋଲା ଶସ୍ୟ ବୋଝେଇ ଏହି ଟ୍ରେନ୍ ସଂଶୋଧିତ ଭାରତ-ନେପାଳ ରେଳ ଟ୍ରାଞ୍ଜିଟ୍ ପ୍ରୋଟୋକଲ୍ ଅଧୀନରେ ଯାତ୍ରା ସମ୍ପୂର୍ଣ୍ଣ କରିଛି। ନୂତନ ବ୍ୟବସ୍ଥା ଫଳରେ କୋଲକାତା ବନ୍ଦରରୁ ବିରାଟନଗର ପର୍ଯ୍ୟନ୍ତ କଣ୍ଟେନରଯୁକ୍ତ ମାଲ ସିଧାସଳଖ ରେଳ ମାର୍ଗରେ ପରିବହନ ସମ୍ଭବ ହୋଇଛି।
ଏହି ସେବା ଆରମ୍ଭ ହେବା ଫଳରେ ପରିବହନ ସମୟ, ଲଜିଷ୍ଟିକ୍ସ ଖର୍ଚ୍ଚ ଓ କାର୍ଗୋ ପରିଚାଳନାରେ ଯଥେଷ୍ଟ ହ୍ରାସ ଘଟିବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂଯୋଗ ଆହୁରି ସୁଦୃଢ଼ ହେବ। ଏହା ରପ୍ତାନିକାରୀ, ଆମଦାନିକାରୀ ଓ ଲଜିଷ୍ଟିକ୍ସ କ୍ଷେତ୍ର ସହ ଜଡ଼ିତ ଶିଳ୍ପଗୁଡ଼ିକ ପାଇଁ ମଧ୍ୟ ବଡ଼ ସୁଯୋଗ ସୃଷ୍ଟି କରିବ।
ଏହି ସଫଳତା ଯୋଗବାଣୀ (ଭାରତ) ଓ ବିରାଟନଗର (ନେପାଳ) ମଧ୍ୟରେ ବ୍ରଡ୍ଗେଜ୍ ରେଳ ସଂଯୋଗ ଉପରେ ଆଧାରିତ। ଜୁନ୍ ୨୦୨୩ରେ ଏହି ରେଳପଥର ଉଦ୍ଘାଟନ ହୋଇଥିବା ବେଳେ, ୨୦୨୫ରେ ସଂଶୋଧିତ ରେଳ ଟ୍ରାଞ୍ଜିଟ୍ ପ୍ରୋଟୋକଲ୍ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ସିଧାସଳଖ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ଚଳାଚଳ ସମ୍ଭବ ହୋଇଛି।
ଭାରତୀୟ ରେଳବାଇ କହିଛି, ଏହି ପଦକ୍ଷେପ ଭାରତ-ନେପାଳ ଦ୍ୱିପାକ୍ଷିକ ବାଣିଜ୍ୟକୁ ନୂଆ ଗତି ଦେବା ସହ ଆଞ୍ଚଳିକ ଆର୍ଥିକ ସହଯୋଗ ଓ ଆଧୁନିକ ମାଲ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।



