ଆଜି ରାଜ୍ୟବ୍ୟାପୀ ଶିକ୍ଷକ-କର୍ମଚାରୀଙ୍କ ଗଣଧାରଣା; ଚାରିଦଫା ଦାବିପତ୍ର ଦେବ ସମନ୍ୱୟ ସମିତି
ଭୁବନେଶ୍ୱର, ଅଗଷ୍ଟ ୭: ବିଭିନ୍ନ ଦାବିକୁ ନେଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନକୁ ଜୋରଦାର କରିଛି ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି। ସମିତିର ଆହ୍ୱାନକ୍ରମେ ୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ (DEO) କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ।
ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ କହିଛନ୍ତି, ଏହା ସମିତିର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ଅଂଶ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶତାଧିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ସରକାରଙ୍କ ନିକଟରେ ସେମାନଙ୍କର ଦୀର୍ଘଦିନର ଦାବି ଉପସ୍ଥାପନ କରିବେ।
ଏହି ଆନ୍ଦୋଳନରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (OSTA), ଅଲୋଷ୍ଟା, ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କଲେଜ ଶିକ୍ଷକ-କର୍ମଚାରୀ ସଂଘ, ଅଣଅନୁଦାନପ୍ରାପ୍ତ ଶିକ୍ଷକ ସଂଘ ଏବଂ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ସଂଘ ସମେତ ଆଠଟି ସଂଗଠନ ସାମିଲ ହୋଇଛନ୍ତି।
ସମନ୍ୱୟ ସମିତିର ମୁଖ୍ୟ ଦାବି ମଧ୍ୟରେ ରହିଛି— ଦୀର୍ଘଦିନ ଧରି ଅନୁଦାନରୁ ବଞ୍ଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ପେନସନ ସୁବିଧା, ଖାଲି ପଦବୀ ପୂରଣ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା, ସପ୍ତମ ବେତନ କମିଶନର ସୁବିଧା, ଗ୍ରେଡ୍ ପେରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ ଏବଂ ଅବସର ବୟସସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା।
ସମନ୍ୱୟ ସମିତି ଅଭିଯୋଗ କରିଛି ଯେ, ବାରମ୍ବାର ଆଲୋଚନା ଓ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଏପର୍ଯ୍ୟନ୍ତ ଦାବିଗୁଡ଼ିକ କାର୍ଯ୍ୟକାରୀ ହୋଇନଥିବାରୁ ହଜାର ହଜାର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି। ସରକାର ଶୀଘ୍ର ଦାବିଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।



