ବଜ୍ରପାତ ମୁକାବିଲା ପାଇଁ ତାଳଗଛ ଅଭିଯାନ: ବନ ବିଭାଗକୁ ୩୫ କୋଟି ଟଙ୍କା, ଚାରା ସହ ପ୍ରୋତ୍ସାହନ ରାଶି ପାଇବେ ଜମି ମାଲିକ
ଭୁବନେଶ୍ୱର, ଅଗଷ୍ଟ ୭: ରାଜ୍ୟରେ ବଜ୍ରପାତ ଜନିତ କ୍ଷୟକ୍ଷତି କମାଇବା ଏବଂ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ତାଳଗଛ ରୋପଣକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବନ ବିଭାଗକୁ ୩୫ କୋଟି ଟଙ୍କା ପ୍ରଦାନ କରିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ୧ କୋଟି ୭୧ ଲକ୍ଷ ଜମି ପଟ୍ଟାକୁ ଲକ୍ଷ୍ୟ କରି ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। ଜମି ମାଲିକମାନଙ୍କୁ ତାଳଗଛର ଚାରା ସହ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯିବ, ଯାହାଦ୍ୱାରା ସେମାନେ ନିଜ ଜମିରେ ତାଳଗଛ ଲଗାଇବାକୁ ଉତ୍ସାହିତ ହେବେ।
ସରକାରଙ୍କ ମତରେ, ଚାଷ ଜମିରେ ତାଳଗଛ ଲଗାଇବା ଦ୍ୱାରା ବଜ୍ରପାତର ବିପଦ ହ୍ରାସ ପାଇବା ସହ ଚାଷୀମାନଙ୍କ ସୁରକ୍ଷା ବଢ଼ିବ। ସେହିପରି ସହରାଞ୍ଚଳରେ ମଧ୍ୟ ବଜ୍ରପାତ ଜନିତ ବିପଦକୁ କମାଇବା ପାଇଁ ବିକଳ୍ପ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ପଦକ୍ଷେପ ପରିବେଶ ସୁରକ୍ଷା ସହ ଦୁର୍ଯୋଗ ପରିଚାଳନାକୁ ଅଧିକ ସୁଦୃଢ଼ କରିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।



