୫୦ କିମିରେ ଗୋଟିଏ ‘ୱେ-ସାଇଡ୍ ଆମିନିଟି ସେଣ୍ଟର’
ରାସ୍ତାକଡ଼ରେ ମିଳିବ ଶୌଚାଳୟଠାରୁ ଫୁଡ୍ କୋର୍ଟ ଓ ଇଭି ଚାର୍ଜିଂ ସୁବିଧା
ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘଦୂର ସଡ଼କ ଯାତ୍ରାକୁ ଆହୁରି ସୁବିଧାଜନକ ଓ ସୁରକ୍ଷିତ କରିବାକୁ ରାଜ୍ୟ ସରକାର ନେବାକୁ ଯାଉଛନ୍ତି ଏକ ନୂଆ ପଦକ୍ଷେପ। ଏଣିକି ଜାତୀୟ ରାଜପଥ, ଏକ୍ସପ୍ରେସ୍ୱେ, ରାଜ୍ୟ ରାଜପଥ ଓ ଜିଲ୍ଲା ମୁଖ୍ୟ ସଡ଼କର ପ୍ରତି ୫୦ କିଲୋମିଟର ଅନ୍ତରରେ ‘ୱେ-ସାଇଡ୍ ଆମିନିଟି ସେଣ୍ଟର’ ପ୍ରତିଷ୍ଠା କରାଯିବ।
ଏ ସମ୍ପର୍କରେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା। ଏହି କେନ୍ଦ୍ରଗୁଡ଼ିକରେ ଯାତ୍ରୀଙ୍କ ଆବଶ୍ୟକତାକୁ ନଜରରେ ରଖି ଅନେକ ମୌଳିକ ଓ ଆଧୁନିକ ସୁବିଧା ଉପଲବ୍ଧ କରାଯିବ।
କ’ଣ କ’ଣ ମିଳିବ ସୁବିଧା?
ପ୍ରସ୍ତାବିତ ସୁବିଧା କେନ୍ଦ୍ରରେ—
- ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଶୌଚାଳୟ
- ଇଲେକ୍ଟ୍ରିକ୍ ଯାନ ପାଇଁ ଇଭି ଚାର୍ଜିଂ ସୁବିଧା
- ପେଟ୍ରୋଲ ପମ୍ପ
- ଫୁଡ୍ କୋର୍ଟ
- ବିଶ୍ରାମ ଗୃହ ଆଦି ବ୍ୟବସ୍ଥା ରହିବ।
ଏହା ଦ୍ୱାରା ଦୂରଦୂରାନ୍ତ ଯାତ୍ରା କରୁଥିବା ଟ୍ରକ୍ ଚାଳକ, ବସ୍ ଯାତ୍ରୀ ଓ ସାଧାରଣ ଯାତ୍ରୀମାନେ ରାସ୍ତାରେ ସୁରକ୍ଷିତ ଭାବେ ବିଶ୍ରାମ ନେବା ସହ ଆବଶ୍ୟକ ସୁବିଧା ପାଇପାରିବେ।
ତୈଳ କମ୍ପାନୀ ସହ ହେବ ଏମ୍ଓୟୁ
ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ବିଭିନ୍ନ ସରକାରୀ ତୈଳ କମ୍ପାନୀ ସହ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିବାକୁ ଯୋଜନା କରୁଛନ୍ତି। ସରକାର ଆବଶ୍ୟକ ସ୍ଥାନ ଯୋଗାଇବେ ଏବଂ ସମ୍ପୃକ୍ତ ତୈଳ କମ୍ପାନୀଗୁଡ଼ିକ ଏହି ସୁବିଧା କେନ୍ଦ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ।
ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ ସଡ଼କ ଭିତ୍ତିଭୂମିକୁ ଆହୁରି ଆଧୁନିକ କରିବା ସହ ଯାତ୍ରୀଙ୍କ ଯାତ୍ରା ଅନୁଭୂତିକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି।
ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ପରିବହନ କମିଶନର ଅମିତାଭ ଠାକୁର, ପୂର୍ତ୍ତ ବିଭାଗର ଇଆଇସି (ଡିଜାଇନ୍, ପ୍ଲାନିଂ ଓ କୋର୍ଡିନେସନ) ଇଂ. ସମୀର ହୋତା, ଏନ୍ଏଚ୍ଆଇର ଆଞ୍ଚଳିକ ଅଧିକାରୀ ପ୍ରଦୀପ ଲାଲ, ମୁଖ୍ୟଯନ୍ତ୍ରୀ (ଏନ୍ଏଚ୍) ଇଂ. ନାରାୟଣ ପଟେଲଙ୍କ ସମେତ ପୂର୍ତ୍ତ, ପର୍ଯ୍ୟଟନ ବିଭାଗ ଓ ଏଚ୍ପିସିଏଲ୍ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।



