ଗରିବଙ୍କୁ ସରକାରୀ ଯୋଜନାରେ ସାମିଲ ଓ ହାଣ୍ଡିଧୁଆଁ – ବଳରାମ ପ୍ରସାଦ ରାସ୍ତା ଆଲୋକିକରଣ କରାଯିବା ନେଇ ଦାବୀପତ୍ର
ତାଳଚେର,୧୦/୮: ତାଳଚେର ପଞ୍ଚାୟତ ସମିତି ସଭାଘର ଠାରେ ଆଜି ଅନୁଷ୍ଠିତ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦୁଇଟି ଦାବୀପତ୍ର ପ୍ରଦାନ କରାଯାଇଛି। ତାଳଚେର ବ୍ଲକର ଘଣ୍ଟପଡା ଆରଆଇ ସର୍କଲ ଅଧିନସ୍ଥ ଚାଳଗଡ଼ ଗ୍ରାମରେ ବସବାସ କରୁଥିବା ଗରିବ ନିରୀହ ପରିବାରଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରାଯିବା ପାଇଁ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ତଥା ହିତାଧିକାରୀଙ୍କ ପକ୍ଷରୁ ଉକ୍ତ ଦାବୀପତ୍ର ଜରିଆରେ ନିବେଦନ କରାଯାଇଛି। ଉକ୍ତ ଗରିବ, ଦିନ ମଜୁରିଆ ପରିବାର ଗୁଡ଼ିକ ଦୀର୍ଘ ବର୍ଷ ହେବ ବସୁନ୍ଧରା ଯୋଜନା, ବିଜୁ ପକାଘର, ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ଭଳି ଜନହିତକର ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ୨୦୨୧ ମସିହାରୁ ସେମାନେ ବିଭାଗୀୟ କାର୍ଯ୍ୟାଳୟ ଗୁଡିକୁ ଯାଇ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସୁଫଳ ମିଳି ପାରିନାହିଁ । ଏଣୁ ଯଥା ଶୀଘ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାର ଲାଭ ଗରିବ ନିରୀହ ପରିବାର ଗୁଡ଼ିକୁ ପ୍ରଦାନ କରିବାକୁ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବୀ କରାଯାଇଛି। ସେହିପରି ଅଞ୍ଚଳ ବାସୀଙ୍କ ନିରାପଦ ଗମନାଗମନ ନିମନ୍ତେ ହାଣ୍ଡିଧୁଆଁ ଛକ ଠାରୁ ବଳରାମ ପ୍ରସାଦ ଛକ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା ଏବଂ ସି.ସି ଟିଭି କ୍ୟାମେରା ଲଗାଇବା ନିମନ୍ତେ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୧୪୯ ନଂ ଏବଂ ୫୫ ନଂ ଜାତୀୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଯଦ୍ୱାରା ଜାମ ଏବଂ ଦୁର୍ଘଟଣାରୁ ବଞ୍ଚିବା ପାଇଁ ଲୋକେ ୧୪୯ ନଂ ରାଜପଥ ଉପର ପବିତ୍ର ମୋହନ ଛକ ଭାୟା ହାଣ୍ଡିଧୁଆ ଛକ ଦେଇ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଏଫସିଆଇ ଛକକୁ ସିଧା ସଳଖ ସଂଯୋଗ କରୁଥିବା ରାସ୍ତାକୁ ନିରାପଦ ରାସ୍ତା ଭାବେ ଵାଛି ନେଇଛନ୍ତି ! ଅପରପକ୍ଷେ ଘଣ୍ଟପଡା ରେଳ ଫାଟକ ପାଖ ଓଭର ବ୍ରିଜ କାମ ସମ୍ପୂର୍ଣ୍ଣ ହେବା ଜାଣି ଯାତାୟାତ ବୃଦ୍ଧିପାଇଛି । ସେହି ଅନୁପାତରେ ହାଣ୍ଡିଧୂଆଁ ଠାରୁ ବଳରାମ ପ୍ରସାଦ ଛକ ପର୍ଯ୍ୟନ୍ତ ଦିନ ଦିପହରେ ଚୋରି, ଡକାୟତି, ଛିନତାଇ ବଢିବା ସହିତ ରାସ୍ତା ଉପରେ ଅପରାଧୀଙ୍କ ପ୍ରାଦୁର୍ଭାବ ବଢିଛି । ଯଦ୍ୱାରା ସଞ୍ଜ ନଇଁଲେ ପଥଚାରୀମାନେ ଅଜଣା ଭୟ ନେଇ ଯିବା ଆସିବା କରିବା ସହିତ ଅଞ୍ଚଳ ବାସୀଙ୍କ ଚିନ୍ତା ବଢ଼ାଇଛି। ତାଳଚେର ଉପଖଣ୍ଡ ଏବଂ ଜିଲ୍ଲା ଅଫିସ, ଜିଲ୍ଲା ଚିକିତ୍ସାଳୟ ଯିବାର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନ ଦେଇ ଉପରକ୍ତ ଦାବିକୁ ଜିଲ୍ଲା ପ୍ରଶାସନ ପୂରଣ କରିଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ସଙ୍ଘ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ତାଳଚେର ଜନ ବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ବ, ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ, ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।



