ନୋ-ଏଣ୍ଟ୍ରିରେ କାର ନେବାକୁ ମନା କରିବାରୁ ଟ୍ରାଫିକ ପୋଲିସଙ୍କୁ ମାଡ଼, ଦୁଇ ଗିରଫ
ବ୍ରହ୍ମପୁର, ୧୫/୮: ଟ୍ରାଫିକ ନିୟମ ମାନିବାକୁ କହିବା ଜଣେ ପୋଲିସ କନଷ୍ଟେବଳଙ୍କ ପାଇଁ ହୋଇଥିଲା ଆକ୍ରମଣର କାରଣ। ନୋ-ଏଣ୍ଟ୍ରି ରାସ୍ତାରେ କାର ପ୍ରବେଶ କରାଇବାକୁ ବାରଣ କରିବାରୁ ଟ୍ରାଫିକ ପୋଲିସଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ।
ଗିରଫ ଯୁବକ ଦୁଇଜଣ ହେଲେ ଦକ୍ଷିଣପୁର ଗାଁର ଅନନ୍ତ କେଶରୀ ଦେବ ଓ ଶିବରାମ ପ୍ରଧାନ।
ସୂଚନା ଅନୁଯାୟୀ, ଗତକାଲି ବିଶାଲ ମେଗା ମାର୍ଟ ଛକରେ ଦୁଇ ଯୁବକ ଏକ କାର ନେଇ ନୋ-ଏଣ୍ଟ୍ରି ଅଞ୍ଚଳକୁ ପ୍ରବେଶ କରୁଥିଲେ। ସେଠାରେ ଡ୍ୟୁଟିରେ ଥିବା ପୋଲିସ କନଷ୍ଟେବଳ ଆର. ସଦାନନ୍ଦ ସେମାନଙ୍କୁ ଅଟକାଇଥିଲେ।
ଏହାକୁ କେନ୍ଦ୍ର କରି ଦୁଇ ଯୁବକ କନଷ୍ଟେବଳଙ୍କ ସହ ଯୁକ୍ତିତର୍କ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଏବଂ ପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗରେ ରହିଛି।
ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ କନଷ୍ଟେବଳ ଆର. ସଦାନନ୍ଦ ଏନେଇ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନେ ଘଟଣାରେ ବ୍ୟବହାର କରିଥିବା କାରକୁ ମଧ୍ୟ ପୋଲିସ ଜବତ କରିଛି। ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।



