ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ: ଦୀର୍ଘମିଆଦୀ ଦୃଷ୍ଟିକୋଣ ସହ କାମ କରନ୍ତୁ ଅଧିକାରୀ
ନୂଆଦିଲ୍ଲୀ: ଦେଶର ଭବିଷ୍ୟତ ଗଠନ ପାଇଁ ଦୀର୍ଘମିଆଦୀ ଦୃଷ୍ଟିକୋଣ, ବିଭାଗୀୟ ସମନ୍ୱୟ ଓ ସାମୂହିକ ଉତ୍ତରଦାୟିତ୍ୱ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀସ୍ଥିତ ୭, ଲୋକ କଲ୍ୟାଣ ମାର୍ଗରେ ଭାରତ ସରକାରଙ୍କ ସଚିବମାନଙ୍କ ସହ ଅନୁଷ୍ଠିତ ତୃତୀୟ ଉଚ୍ଚସ୍ତରୀୟ ବୈଠକରେ ସେ ଏହି ଆହ୍ୱାନ ଦେଇଛନ୍ତି।
ବୈଠକରେ ଭିତ୍ତିଭୂମି ଓ ଯୋଗାଯୋଗ, ସୁରକ୍ଷା, ବୈଦେଶିକ ବ୍ୟାପାର ଏବଂ ଶାସନ ବ୍ୟବସ୍ଥା ସମ୍ପର୍କିତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା।
‘କେବଳ ବର୍ତ୍ତମାନ ନୁହେଁ, ଭବିଷ୍ୟତ ଉପରେ ନଜର ରହୁ’
ସଚିବମାନଙ୍କ ଦୁଇଟି ଗୋଷ୍ଠୀ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଅଧିକାରୀମାନେ କେବଳ ବର୍ତ୍ତମାନର ପ୍ରସଙ୍ଗ ଓ ପରିସଂଖ୍ୟାନ ମଧ୍ୟରେ ସୀମିତ ନ ରହି ଦେଶର ଭବିଷ୍ୟତ କିପରି ଗଢ଼ାଯିବ, ସେଥିପାଇଁ ଦୀର୍ଘକାଳୀନ ଯୋଜନା ସହ କାମ କରିବା ଆବଶ୍ୟକ।
ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ
ବିଭିନ୍ନ ବିଭାଗ ପୃଥକ ଭାବେ କାମ କରିବା ଧାରାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିଥିଲେ। ତାଙ୍କ ମତରେ, ବିଖଣ୍ଡିତ ଭାବେ କାର୍ଯ୍ୟ କରିବା କେବଳ ଢାଞ୍ଚାଗତ ସମସ୍ୟା ନୁହେଁ, ଏହା ଏକ ମାନସିକତାର ସମସ୍ୟା ମଧ୍ୟ। ସମସ୍ତ ବିଭାଗ ଓ ଅଧିକାରୀ ଏକାଠି ହୋଇ ଦାୟିତ୍ୱବୋଧ ସହ କାମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
କୋଭିଡ୍-୧୯ ମହାମାରୀ ଏବଂ ପଶ୍ଚିମ ଏସିଆ ସଙ୍କଟ ସମୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯେପରି ସମନ୍ୱୟ ରକ୍ଷା କରି କାମ କରିଥିଲେ, ତାହାକୁ ଉଦାହରଣ ଭାବେ ଉଲ୍ଲେଖ କରିଥିଲେ ମୋଦୀ।
ଏଆଇ ସହ ମାନବୀୟ ବୁଝାମଣାର ସମନ୍ୱୟ
କୃତ୍ରିମ ବୁଦ୍ଧିମତା (AI)ର ବ୍ୟବହାରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନୂଆ ଚିନ୍ତା କରିବାକୁ କହିଥିଲେ। ମାନବୀୟ ବିଚାର, ଅଭିଜ୍ଞତା ଓ ବିଶେଷଜ୍ଞତା ସହ AIର କ୍ଷମତାକୁ ଯୋଡ଼ି ସରକାରୀ କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ସେ ଜୋର ଦେଇଥିଲେ।
ସେହିପରି ନୀତି ନିର୍ଦ୍ଧାରଣରେ ନୂଆ ଚିନ୍ତାଧାରା ଆଣିବା ପାଇଁ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ ଓ ଯୁବବର୍ଗ ମଧ୍ୟରେ ଅଧିକ ସମ୍ପର୍କ ସ୍ଥାପନ ଆବଶ୍ୟକ ବୋଲି ସେ କହିଥିଲେ।
ପ୍ରତିରକ୍ଷା ଓ ଗବେଷଣାକୁ ନୂଆ ଗତି
ପ୍ରତିରକ୍ଷା କ୍ଷେତ୍ର ସମେତ ଗବେଷଣା ଓ ନବସୃଜନକୁ ଅଧିକ ପ୍ରାଥମିକତା ଦେବା ଉପରେ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ମଜବୁତ କରିବା ସହ ବିଶ୍ୱ ବଜାରରେ ଏହାକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଲକ୍ଷ୍ୟରେ ମାନବ ସମ୍ବଳ ବିକାଶ ଓ ନୂଆ ପ୍ରତିରକ୍ଷା ପାଠ୍ୟକ୍ରମ ଉପରେ ଧ୍ୟାନ ଦେବାକୁ ସେ କହିଥିଲେ।
ସାମୁଦ୍ରିକ କ୍ଷେତ୍ର ଉପରେ ଫୋକସ୍
ଦେଶର ସାମୁଦ୍ରିକ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାପକ ଯୋଜନାର ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଜାହାଜ ନିର୍ମାଣକୁ ଭିତ୍ତିଭୂମିର ମାନ୍ୟତା ଦିଆଯାଇଥିବାରୁ ନିର୍ଦ୍ଧାରିତ ଲକ୍ଷ୍ୟ ମିଶନ ମୋଡରେ ପୂରଣ ହେଉଛି କି ନାହିଁ, ତାହାର ନିୟମିତ ମୂଲ୍ୟାଙ୍କନ କରିବାକୁ ସେ ପରାମର୍ଶ ଦେଇଥିଲେ।
କେବଳ ବନ୍ଦର ବିକାଶରେ ସୀମିତ ନ ରହି ‘ପୋର୍ଟ ଲେଡ୍ ଡେଭଲପମେଣ୍ଟ’ ଦିଗରେ ଦେଶକୁ ଆଗେଇ ନେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।
‘ଟିମ୍ ଇଣ୍ଡିଆ’ ଭାବନାରେ କାମ କରିବାକୁ ଆହ୍ୱାନ
ଉତ୍ପାଦନ ୟୁନିଟ୍ ଓ ରପ୍ତାନି ଭିତ୍ତିକ ୟୁନିଟ୍ଗୁଡ଼ିକ ମଧ୍ୟରେ ଉତ୍ତମ ସଂଯୋଗ ସୃଷ୍ଟି କରିବା ସହ ଭାରତର ଉତ୍ପାଦନ ଓ ରପ୍ତାନି କ୍ଷମତାକୁ ସାମୁଦ୍ରିକ ଭିତ୍ତିଭୂମିରୁ ସର୍ବାଧିକ ଲାଭ ଦେବା ଉପରେ ମଧ୍ୟ ସେ ଜୋର ଦେଇଥିଲେ।
ବୈଠକ ଶେଷରେ ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନୌପଚାରିକ ଯୋଗାଯୋଗ ଏବଂ ଦୃଢ଼ ଟିମ୍ୱର୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। କ୍ୟାଡର ଓ ବିଭାଗ ମଧ୍ୟରେ ମଜବୁତ ନେଟୱାର୍କ ଗଠନ ହେଲେ ଜଟିଳ ଚ୍ୟାଲେଞ୍ଜର ସମାଧାନ ଓ ଦେଶର ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ହାସଲ ଅଧିକ ସହଜ ହେବ ବୋଲି ସେ ମତ ଦେଇଥିଲେ।
ବୈଠକରେ କ୍ୟାବିନେଟ ସଚିବ, ବିଭିନ୍ନ ପ୍ରମୁଖ ମନ୍ତ୍ରଣାଳୟ ଓ ବିଭାଗର ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।



