⚡ ଘରେ ଖେଳୁଥିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ନେଇଗଲା ଏକବର୍ଷୀୟ ଶିଶୁର ଜୀବନ
ପାଲଲହଡ଼ା: ଘର ଭିତରେ ଖେଳୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଏକବର୍ଷୀୟ ଶିଶୁର ଜୀବନ। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ସମୟରେ ତୁଡି କାଏମଙ୍କ ଏକବର୍ଷୀୟ ପୁଅ ନବ କାଏମ ଘର ଭିତରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ୍ ଆଘାତରେ ଶିଶୁଟି ଗୁରୁତର ହୋଇପଡ଼ିଥିଲା।
ପରିବାର ଲୋକେ ବିଳମ୍ବ ନକରି ୧୦୮ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସା ପୂର୍ବରୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ଏକବର୍ଷୀୟ ଶିଶୁର ଅକାଳ ମୃତ୍ୟୁ ଖବର ପ୍ରଚାର ପରେ ପୁରୁଣାପାଣି ଗାଁରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଘଟଣାକୁ ନେଇ ଗାଁରେ ମଧ୍ୟ ଦୁଃଖର ପରିବେଶ ସୃଷ୍ଟି ହୋଇଛି।



