ନିରବ ହେଲା ସୁରର ମହାନ କଣ୍ଠ, ପରଲୋକରେ ପ୍ରଣବ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ। ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ବୟସାଧିକ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ବିଭିନ୍ନ ସମୟରେ ଚିକିତ୍ସିତ ହେଉଥିଲେ।
ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତକୁ ପ୍ରଣବ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ତାଙ୍କ ସ୍ୱତନ୍ତ୍ର କଣ୍ଠସ୍ୱର ଓ ଗାୟନ ଶୈଳୀ ଅଗଣିତ ଶ୍ରୋତାଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଛି। ତାଙ୍କ କଣ୍ଠରେ ଗାଇଥିବା ଅନେକ ଗୀତ ଆଜି ବି ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ସତେଜ ରହିଛି।
‘ମାଝୀରେ…’, ‘ରେ ଆତ୍ମନ୍’, ‘ମା ତୁମେ ଜଗତର ସାହା ଭରସା’ ଭଳି ଲୋକପ୍ରିୟ ଗୀତରେ ତାଙ୍କ କଣ୍ଠ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦୀର୍ଘ ସଙ୍ଗୀତ ଯାତ୍ରାରେ ସେ ଓଡ଼ିଆ ସଙ୍ଗୀତକୁ ଦେଇଯାଇଛନ୍ତି ଅନେକ ସ୍ମରଣୀୟ ଗୀତ ଓ ଅମୂଲ୍ୟ ଅବଦାନ।
ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ଜଣେ କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କୁ ହରାଇ ଓଡ଼ିଶାର ସଙ୍ଗୀତ ଜଗତ ଆଜି ଶୋକସନ୍ତପ୍ତ। ତାଙ୍କ ସୁରିଲା କଣ୍ଠର ସ୍ମୃତି ସବୁବେଳେ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ।



