ଅଗଷ୍ଟ ୩୧ରୁ ରତ୍ନଭଣ୍ଡାର ଗଣତିମଣତି: ନିର୍ଦ୍ଧାରିତ ସମୟରେ ବନ୍ଦ ରହିବ ଭିତର କାଠ ଦର୍ଶନ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତିମଣତି ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଦୁଇ ଦିନ ଗଣତିମଣତି ପାଇଁ ଧାର୍ଯ୍ୟ କରାଯାଇଛି।
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ସମଗ୍ର ଗଣତି ପ୍ରକ୍ରିୟା ସମ୍ପନ୍ନ ହେବ। ଗଣତିମଣତି ଚାଲିଥିବା ସମୟରେ ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥାରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି।
ସୂଚନା ଅନୁସାରେ, ଉଭୟ ଦିନ ଅପରାହ୍ଣ ପ୍ରାୟ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଭକ୍ତମାନେ କେବଳ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିବେ।
ତେବେ ଗଣତିମଣତି ଯୋଗୁଁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବାଧା ରହିବ ନାହିଁ। ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ସମସ୍ତ ନୀତି ଯଥାବିଧି ଚାଲୁ ରହିବ। ଅଧିକୃତ ପାଳିଆ ସେବକମାନେ ନୀତି ସମ୍ପାଦନ ପାଇଁ ଜଗମୋହନ ଓ ଗର୍ଭଗୃହକୁ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ।
ରତ୍ନଭଣ୍ଡାର ଗଣତିମଣତିକୁ ନେଇ ଶ୍ରୀମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ଗଣତି କାର୍ଯ୍ୟ ଯେପରି ସୁରକ୍ଷିତ ଓ ନିର୍ଦ୍ଧାରିତ ନିୟମ ଅନୁସାରେ ସମ୍ପନ୍ନ ହୁଏ, ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଓ ସେବକମାନେ ସତର୍କ ରହିବେ।
ଏହି ସମୟରେ ଦର୍ଶନ ବ୍ୟବସ୍ଥାରେ ହେବାକୁ ଥିବା ପରିବର୍ତ୍ତନକୁ ନେଇ ଭକ୍ତମାନଙ୍କୁ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତ ସେବକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୂର୍ବପରି ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ଭକ୍ତଙ୍କ ପାଇଁ ଜରୁରୀ ସୂଚନା: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଅପରାହ୍ଣ ପ୍ରାୟ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ତେଣୁ ଏହି ସମୟ ଅନୁଯାୟୀ ଭକ୍ତମାନେ ଶ୍ରୀମନ୍ଦିର ଦର୍ଶନର ଯୋଜନା କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।



