ମାଉଣ୍ଟ ୟୁନାମ ବିଜୟିନୀ ଓଡ଼ିଆ ମହିଳା ପର୍ବତାରୋହୀଙ୍କୁ ରାଜ୍ୟପାଳଙ୍କ ଅଭିନନ୍ଦନ
ଭୁବନେଶ୍ୱର: ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଶୃଙ୍ଗ ଆରୋହଣ କରି ଓଡ଼ିଶାର ଗୌରବ ବଢ଼ାଇଥିବା ମହିଳା ପର୍ବତାରୋହୀ ଦଳ ସୋମବାର ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି।
ଏହି ସାକ୍ଷାତକାର ସମୟରେ ରାଜ୍ୟପାଳ ଦଳର ସଦସ୍ୟମାନଙ୍କୁ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସାହସ, ଦୃଢ଼ ମନୋବଳ ଓ ସଙ୍କଳ୍ପର ପ୍ରଶଂସା କରିଥିଲେ। ପର୍ବତାରୋହଣ ସମୟରେ ସାମ୍ନା କରିଥିବା କଠିନ ପରିସ୍ଥିତି ଓ ଅନୁଭୂତି ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଦଳର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ।
ଏହି ଅଭିଯାନରେ ମୋଟ ୧୧ ଜଣ ମହିଳା ପର୍ବତାରୋହୀ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୫ ଜଣ ମାଉଣ୍ଟ ୟୁନାମର ଶିଖରରେ ପହଞ୍ଚିବାରେ ସଫଳ ହୋଇଥିଲେ। ଅନ୍ୟ ୬ ଜଣ ପର୍ବତାରୋହୀ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅଭିଯାନ ଅଧାରୁ ଫେରିବାକୁ ବାଧ୍ୟ ହୋଇଥିଲେ।
ରାଜ୍ୟପାଳ କହିଥିଲେ ଯେ, ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ମହିଳା ପର୍ବତାରୋହୀଙ୍କ ଏଭଳି ସଫଳତା ରାଜ୍ୟର ଅନ୍ୟ ଯୁବତୀମାନଙ୍କୁ ପର୍ବତାରୋହଣ ସମେତ ବିଭିନ୍ନ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ **ଆସୋସିଏସନ ଫର ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA)**ର ଉପସଭାପତି ହରେଶ କୁମାର ମିଶ୍ର ଓ ସମ୍ପାଦକ ତଥା ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ। ରାଜ୍ୟପାଳ ସମସ୍ତ ପର୍ବତାରୋହୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।



