ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, କୋରେଇ ଥାନାରେ ମାମଲା

ଯାଜପୁର: କୋରେଇ ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ମାଡ଼ ମାରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ପୀଡ଼ିତ ସାମ୍ବାଦିକ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସାମ୍ବାଦିକ ଜଣକ ନିଜ ବୃତ୍ତିଗତ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ତାଙ୍କୁ ନିର୍ଘାତ ମାଡ଼ ମାରିବା ସହ କ୍ୟାମେରା, ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଛଡ଼ାଇ ନେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।
ସାମ୍ବାଦିକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଯିବାରୁ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଅଭିଯୋଗ ପାଇବା ପରେ କୋରେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ସହ ଗିରଫ ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।
ଘଟଣାକୁ ସ୍ଥାନୀୟ ସାମ୍ବାଦିକ ସଂଘ ସହ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ସଭାପତି ମନୋଜ ଶତପଥୀ ଦୃଢ଼ ନିନ୍ଦା କରିଛନ୍ତି। ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଗଣମାଧ୍ୟମର ସ୍ୱାଧୀନତା ଓ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଗୁରୁତର ଆଘାତ ବୋଲି ଦର୍ଶାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।




