ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ
ଢେଙ୍କାନାଳ: ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପବିତ୍ର ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ପ୍ରାତଃ ସମୟରୁ ମନ୍ଦିରରେ ମଙ୍ଗଳ ଆଳତି, ମହାପ୍ରଭୁଙ୍କ ସ୍ନାନ ନୀତି, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର ଓ ପୁଷ୍ପ ହାର ଲାଗି କରାଯାଇଥିଲା। ଏହାପରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ବେଶରେ ସଜ୍ଜିତ କରାଯାଇଥିଲା।
ପରେ ବଲ୍ଲଭ ଭୋଗ ଲାଗି କରାଯାଇଥିବା ବେଳେ ସକାଳ ପ୍ରାୟ ୧୦ଟା ସମୟରେ ଖେଚେଡ଼ି ଭୋଗ ଅର୍ପଣ କରାଯାଇଥିଲା। ମଧ୍ୟାହ୍ନରେ ମଙ୍ଗଳା ଅର୍ପଣ ପୂଜା, ଜନ୍ମ ପୂଜା ଓ ଅନ୍ନଧୂପ ନୀତି ସମ୍ପନ୍ନ ହେବା ପରେ ସନ୍ଧ୍ୟାରେ ଆଳତି ଏବଂ ଶେଷରେ ପହଡ଼ ନୀତି ଅନୁଷ୍ଠିତ ହେବ।
ପୂଜକ ମଳୟ କର, ମନସୁମନ୍ ମିଶ୍ର ଶ୍ରୀବତ୍ସ ମିଶ୍ର ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଶ୍ରୀବଳଭଦ୍ରଙ୍କ ଜନ୍ମ ଉତ୍ସବର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।
ଉତ୍ସବକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।



