ରେଭେନ୍ସାରେ ଅଧ୍ୟାପକଙ୍କ ଅସନ୍ତୋଷ ତୀବ୍ର, ସମୂହ ଛୁଟିରେ ଯିବେ ୮୦ରୁ ଅଧିକ ଶିକ୍ଷକ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ଏବେ ଖୋଲା ପ୍ରତିବାଦର ରୂପ ନେବାକୁ ଯାଉଛି। ବିଭିନ୍ନ ଦାବି ନେଇ ରୁଟା ପକ୍ଷରୁ ଆସନ୍ତାକାଲି ୮୦ରୁ ଅଧିକ ଅଧ୍ୟାପକ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନିଆଯାଇଛି।
ଶିକ୍ଷକ ସଂଘ ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବ। ଏହାସହ ଅଧ୍ୟାପକମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବେ। ଫଳରେ ଦୀର୍ଘଦିନ ଧରି ରହିଥିବା ଅସନ୍ତୋଷ ଏବେ ତୀବ୍ର ହୋଇଛି।
ପୂର୍ବତନ ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ସଦର ବିଧାୟକ ପ୍ରକାଶ ସେଠୀ ଦୁର୍ବ୍ୟବହାର କରିଥିବା ନେଇ ଉଠିଥିବା ଅଭିଯୋଗକୁ କେନ୍ଦ୍ର କରି ବିବାଦ ଜାରି ରହିଛି। ଏହି ପ୍ରସଙ୍ଗରେ ବିଧାୟକଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ ରୁଟା ଦାବି କରିଛି।
ଏଥିସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କ ବଦଳିକୁ ନେଇ ମଧ୍ୟ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଛି।
ଅଧ୍ୟାପକମାନେ ସମ୍ମାନର ସହ କାର୍ଯ୍ୟ କରିପାରିବା ଭଳି ପରିବେଶ ସୃଷ୍ଟି, ବିଶ୍ୱବିଦ୍ୟାଳୟର ଏକାଡେମିକ୍ କାର୍ଯ୍ୟରୁ ରାଜନୈତିକ ଚାପ ଦୂର କରିବା ସହ ଅନ୍ୟାନ୍ୟ ଦାବି ରୁଟା ପକ୍ଷରୁ ଉଠାଯାଇଛି।
ଦାବିଗୁଡ଼ିକ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପଦକ୍ଷେପରେ ସନ୍ତୁଷ୍ଟ ନଥିବା ଅଭିଯୋଗ କରି ଏବେ ପ୍ରତିବାଦକୁ ଓହ୍ଲାଇବାକୁ ଯାଉଛି ଶିକ୍ଷକ ସଂଘ। ଆସନ୍ତାକାଲିର ଧାରଣା ଓ ବିକ୍ଷୋଭକୁ ନେଇ ରେଭେନ୍ସା କ୍ୟାମ୍ପସରେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।



