ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ଗୋଷ୍ଠୀ ସଂକ୍ରମଣ ଉପରେ କଡ଼ା ନଜର
ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୬: ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ଆତଙ୍କିତ କିମ୍ବା ଅନାବଶ୍ୟକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗର ଉତ୍ସ ଓ ପ୍ରସାର ସମ୍ପର୍କରେ ଏପିଡେମିଓଲୋଜିକାଲ୍ ଏବଂ ଲାବୋରେଟୋରୀ ନଜରଦାରିକୁ ଜୋରଦାର କରାଯାଇଛି।
ପୂର୍ବରୁ ପରୀକ୍ଷା କରାଯାଇଥିବା ୯ଟି ନମୁନାର IgM ELISA ପରୀକ୍ଷା ରିପୋର୍ଟ ୩୦ ଅଗଷ୍ଟ ୨୦୨୬ରେ ନେଗେଟିଭ୍ ଆସିଛି। ଏହା ସହିତ ସେହି ଦିନ ପ୍ରଭାବିତ ବୋଲି ସନ୍ଦେହ କରାଯାଉଥିବା ଅଞ୍ଚଳରେ ବ୍ୟାପକ ସ୍କ୍ରିନିଂ କରାଯାଇ ନୂଆ ନମୁନା ସଂଗ୍ରହ କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ସମଗ୍ର ପରିସ୍ଥିତି ଉପରେ ନିକଟ ନଜର ରଖିଛି। ନିୟମିତ ନଜରଦାରି ସହ ସମୟୋପଯୋଗୀ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ପରିସ୍ଥିତିକୁ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ଗୋଷ୍ଠୀ ସଂକ୍ରମଣ ଭାବେ ନିଆଯାଇଛି। ନିଶ୍ଚିତ ଲାବୋରେଟୋରୀ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ଏନେଇ କୌଣସି ଚୂଡ଼ାନ୍ତ ନିଷ୍କର୍ଷ ନିଆଯିବ ନାହିଁ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କୁ ନିଜ ଚାରିପାଖରେ ପରିଷ୍କାର ଓ ସ୍ୱଚ୍ଛ ପରିବେଶ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଘନ ଜଙ୍ଗଲ, ବୁଦା, ଅଧିକ ଘାସ ଥିବା ସ୍ଥାନକୁ ଯିବାରୁ ଯଥାସମ୍ଭବ ଦୂରେଇ ରହିବାକୁ କୁହାଯାଇଛି।
ବାହାରକୁ ଯିବା ସମୟରେ ପୂରା ହାତ ଢଙ୍କା ପୋଷାକ, ଲମ୍ବା ପ୍ୟାଣ୍ଟ ଓ ପାଦକୁ ଭଲ ଭାବେ ଢଙ୍କି ରଖୁଥିବା ଜୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଚର୍ମରେ ସଂକ୍ରମଣକାରୀ କୀଟ ସଂସ୍ପର୍ଶର ଆଶଙ୍କା କମିପାରିବ। ଏଥିସହ ଚାରିପାଖର ପରିବେଶ ସଫା ରଖିବା ଏବଂ ଘାସ କିମ୍ବା ମାଟି ଉପରେ ସିଧାସଳଖ ବସିବା ବା ଶୋଇବାରୁ ବିରତ ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି।



