ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ୭ ତାରିଖକୁ ଘୁଞ୍ଚିଲା
ଭୁବନେଶ୍ୱର: ଓଡ଼ିଶାର ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ଆଇନଗତ ବିବାଦରେ ଆସିଛି ନୂଆ ମୋଡ଼। ଡିଜିପି ଚୟନରେ ଅନିୟମିତତା ଅଭିଯୋଗ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖକୁ ଘୁଞ୍ଚାଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
ମାମଲାର ମୁଖ୍ୟ ପ୍ରସଙ୍ଗ ହେଉଛି, ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ରାୟରେ ନିର୍ଦ୍ଧାରିତ ଗାଇଡଲାଇନ୍ ପାଳନ କରାଯାଇଛି କି ନାହିଁ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଯୁକ୍ତି ରଖି ଅଭିଯୋଗ କରିଛନ୍ତି ଯେ, ଜଣେ ଜୁନିଅର ଅଧିକାରୀଙ୍କୁ ଡିଜିପି ଚୟନ ଦୌଡ଼ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ରାତିଅଧିଆ ପଦୋନ୍ନତି ଦେଇଥିଲେ। ଏହା ଡିଜିପି ଚୟନ ସମ୍ପର୍କିତ ନିୟମ ଏବଂ ପ୍ରକାଶ ସିଂହ ରାୟରେ ଥିବା ନିର୍ଦ୍ଦେଶନାମାର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷ ଦାବି କରିଛି।
ତେବେ ଏହି ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି। କାଉଣ୍ଟର ଆଫିଡେଭିଟ୍ରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟା। ପଦୋନ୍ନତିରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ବିନୟତୋଷ ମିଶ୍ରଙ୍କ ହାତରେ ଅତିରିକ୍ତ ଦାୟିତ୍ୱ
ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି।
ଏହାପୂର୍ବରୁ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ ୟୁପିଏସସିକୁ ସ୍ଥାୟୀ ଡିଜିପି ଚୟନ ସମ୍ପର୍କିତ ବୈଠକ ସ୍ଥଗିତ ରଖିବାକୁ କହିଥିଲେ। ପରେ ଅଗଷ୍ଟ ୧୮ର ଶୁଣାଣିରେ ରାଜ୍ୟ ସରକାରଙ୍କ ଜବାବ ରେକର୍ଡରେ ସାମିଲ ହୋଇନଥିବାରୁ ପରବର୍ତ୍ତୀ ଶୁଣାଣି ପାଇଁ ମାମଲା ଧାର୍ଯ୍ୟ ହୋଇଥିଲା।
ଏବେ ଆସନ୍ତା ୭ ତାରିଖର ଶୁଣାଣି ଉପରେ ସମସ୍ତଙ୍କ ନଜର। ରାଜ୍ୟ ସରକାର ଓ ୟୁପିଏସସିର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ସ୍ଥାୟୀ ଡିଜିପି ଚୟନ ଓ ନିଯୁକ୍ତି ପ୍ରକ୍ରିୟା ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଦେବେ କି ନାହିଁ, ତାହା ଉପରେ ଏବେ ନଜର ରହିଛି।



