ବଲାଙ୍ଗିରରେ ଅନ୍ତଃଜିଲ୍ଲା ସେକ୍ସ ରାକେଟ୍ ଠାବ, ୪ ଗିରଫ
ନାବାଳିକା ଶୋଷଣ ଅଭିଯୋଗ; ମୁଖ୍ୟ ଅଭିଯୁକ୍ତା ଗୀତା ବାଗ୍ ଗିରଫ
ବଲାଙ୍ଗିର, ୩/୯: ବଲାଙ୍ଗିର ସହରରେ ଚାଲିଥିବା ଏକ ଅନ୍ତଃଜିଲ୍ଲା ଦେହ ବ୍ୟବସାୟ ରାକେଟ୍ର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ। ଏହି ଘଟଣାରେ ରାକେଟ୍ର ମୁଖ୍ୟ ଅଭିଯୁକ୍ତା ବୋଲି କୁହାଯାଉଥିବା ଗୀତା ବାଗ୍ଙ୍କ ସମେତ ମୋଟ ୪ ଜଣଙ୍କୁ ପୋଲିସ ଗିରଫ କରିଛି।
ପୋଲିସର ସୂଚନା ଅନୁସାରେ, ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିବା ଅଭିଯୋଗ ରହିଛି। ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହେବା ପରେ ଘଟଣାଟି ପୋଲିସ ନଜରକୁ ଆସିଥିବା ଜଣାପଡ଼ିଛି।
ତଦନ୍ତ ବେଳେ ଏହି ରାକେଟ୍ ସହ ଜଡ଼ିତ ଥିବା ଅଭିଯୋଗରେ କଲେଜ ଛକ ଅଞ୍ଚଳର ଜଣେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ରାକେଟ୍ର କାର୍ଯ୍ୟପ୍ରଣାଳୀ, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଅନ୍ୟ ଜିଲ୍ଲା ସହ ଏହାର ଯୋଗାଯୋଗ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ଘଟଣା ପରେ ବଲାଙ୍ଗିର ପୋଲିସ ସହରର ହୋଟେଲ ଓ ଲଜ୍ ମାଲିକମାନଙ୍କୁ କଡ଼ା ଚେତାବନୀ ଦେଇଛି। କୌଣସି ପ୍ରକାରର ବେଆଇନ କିମ୍ବା ଅନୈତିକ କାର୍ଯ୍ୟକଳାପକୁ ଆଶ୍ରୟ ନଦେବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ ହେଲେ ସମ୍ପୃକ୍ତ ହୋଟେଲ କିମ୍ବା ଲଜ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସିଲ୍ କରାଯାଇପାରେ ବୋଲି ପୋଲିସ ସତର୍କ କରିଛି।
ନାବାଳିକାଙ୍କ ସୁରକ୍ଷା ଓ ମାମଲାର ଆଇନଗତ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ତଦନ୍ତ ଆଗକୁ ବଢ଼ାଯାଉଥିବା ଜଣାପଡ଼ିଛି।



