ଭୁବନେଶ୍ୱର: ମାତ୍ର ୪ ବର୍ଷ ବୟସରେ ଚେସ୍ ଜଗତରେ ଇତିହାସ ରଚିଲେ ଓଡ଼ିଶାର କୁନି ପ୍ରତିଭା ଏଲେନା ମିଶ୍ର। ଅଧିକୃତ FIDE ରେଟିଂ ହାସଲ କରି ସେ ବିଶ୍ୱର ସବୁଠାରୁ କମ୍ ବୟସର ମହିଳା ଚେସ୍ ଖେଳାଳି ଭାବେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ସେପ୍ଟେମ୍ବର ୨୦୨୬ର FIDE ରେଟିଂ ତାଲିକାରେ ଏଲେନାଙ୍କ Blitz ରେଟିଂ ୧୪୩୨ ରହିଛି। ତାଙ୍କ ବୟସ ଥିଲା ମାତ୍ର ୪ ବର୍ଷ ୬ ମାସ ୧୬ ଦିନ। ଭୁବନେଶ୍ୱରର Mother’s Public Schoolରେ ଆୟୋଜିତ Odisha State Blitz FIDE Rating Open Chess Championship-୨୦୨୬ରେ ଅଂଶଗ୍ରହଣ ପରେ ଏଲେନା ଅଧିକୃତ FIDE ରେଟିଂ ତାଲିକାରେ ସ୍ଥାନ ପାଇଛନ୍ତି।
ବିଶେଷ ଉଲ୍ଲେଖନୀୟ ଯେ, ୨୦୨୨ କିମ୍ବା ତା’ପରେ ଜନ୍ମ ନେଇଥିବା ମହିଳା ଖେଳାଳିଙ୍କ ମଧ୍ୟରେ ଏଲେନା ଏବେ ଅଧିକୃତ FIDE ରେଟିଂ ହାସଲ କରିଥିବା ଏକମାତ୍ର ଖେଳାଳି ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଏଲେନାଙ୍କ ଏହି ଅସାଧାରଣ ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀରବି ନାରାୟଣ ନାଏକ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏତେ କମ୍ ବୟସରେ ଏଲେନାଙ୍କ ଉପଲବ୍ଧିକୁ ସେ ଅସାଧାରଣ ପ୍ରତିଭା, ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିଫଳନ ବୋଲି କହିଛନ୍ତି।
କୁନି ବୟସରେ ଏଲେନାଙ୍କ ଏହି ସଫଳତା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତୀୟ ଚେସ୍ ଜଗତ ପାଇଁ ଗର୍ବର ବିଷୟ। ଆଗାମୀ ଦିନରେ ଏଲେନା ଚେସ୍ କ୍ଷେତ୍ରରେ ଆହୁରି ବଡ଼ ସଫଳତା ହାସଲ କରିବେ ବୋଲି ଆଶା ପ୍ରକାଶ ପାଇଛି।



