ଘର ନାହିଁ, ଜମି ନାହିଁ: ଅସହାୟ ପରିବାରର ଦୁଃଖର ଦିନ କଟୁଛି
ବଡ଼ବାପାଙ୍କ ବାରଣ୍ଡାରେ ରୋଷେଇ ଓ ରାତି କାଟୁଛନ୍ତି ଟିକେଶ୍ୱରୀଙ୍କ ପରିବାର; ଆବାସ ଯୋଜନାରେ ଘର ପାଇଁ ପ୍ରଶାସନକୁ ନିବେଦନ
ଜମନକିରା, ୪/୯: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ମହଦା ପଞ୍ଚାୟତର ଫଟାମୁଣ୍ଡା ଗ୍ରାମରେ ଜଣେ ଅସହାୟ ପରିବାରର ଦୟନୀୟ ଜୀବନଯାପନର ଚିତ୍ର ସାମ୍ନାକୁ ଆସିଛି। ଘର ଓ ଜମି ନଥିବାରୁ ଅନ୍ୟର ଘର ବାରଣ୍ଡାରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ୩୦ ବର୍ଷୀୟା ଟିକେଶ୍ୱରୀ ଡିଲା ଓ ତାଙ୍କ ପରିବାର।
ସୂଚନା ଅନୁଯାୟୀ, ଟିକେଶ୍ୱରୀ ଡିଲାଙ୍କ ସ୍ୱାମୀ ହୃଦାନନ୍ଦ ଡିଲା କୁଲି ଓ ମଜୁରୀ କାମ କରି ଯାହା ରୋଜଗାର କରନ୍ତି, ସେଥିରେ ହିଁ ପରିବାରର ଭରଣପୋଷଣ ହୋଇଥାଏ। ଆର୍ଥିକ ଅନଟନ ଯୋଗୁଁ ନିଜସ୍ୱ ଜମି କିମ୍ବା ଘର କରିବା ତାଙ୍କ ପାଇଁ ସମ୍ଭବ ହୋଇପାରିନାହିଁ।
ଟିକେଶ୍ୱରୀଙ୍କ ଏକମାତ୍ର ଝିଅ ଭାଗିପାଲି ୟୁପି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି। ଗୋଟିଏ ପଟେ ଘରର ଅଭାବ, ଅନ୍ୟପଟେ ଦାରିଦ୍ର୍ୟ—ଏଭଳି ପରିସ୍ଥିତିରେ ଝିଅର ପାଠପଢ଼ା ଜାରି ରଖିବା ମଧ୍ୟ ପରିବାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଘର ନଥିବାରୁ ଟିକେଶ୍ୱରୀଙ୍କ ପରିବାର ବଡ଼ବାପାଙ୍କ ଘରର ବାରଣ୍ଡାରେ ଚୁଲି ଜାଳି ରୋଷେଇ କରୁଥିବା ବେଳେ ସେଠାରେ ହିଁ ରାତି କାଟୁଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ଏଭଳି ଅସୁରକ୍ଷିତ ସ୍ଥାନରେ ରହିବା ସେମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ସରୀସୃପଙ୍କ ଆକ୍ରମଣର ଭୟ ମଧ୍ୟ ପରିବାରକୁ ଘାରିଛି।
ଏଭଳି ଦୟନୀୟ ଅବସ୍ଥାରେ ଥିବା ପରିବାରକୁ ସରକାରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଟିକେଶ୍ୱରୀ ଓ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି। ତାଙ୍କ ପରିବାରର ଅସହାୟତାକୁ ନେଇ ଟିକେଶ୍ୱରୀ ଭାବବିହ୍ୱଳ ହୋଇ ପ୍ରଶାସନ ନିକଟରେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି।
ତେଣୁ ଜମନକିରା ବ୍ଲକ ପ୍ରଶାସନ ଘଟଣାର ତଦନ୍ତ କରି ପରିବାରର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କୁ ଯୋଗ୍ୟତା ଅନୁସାରେ ସରକାରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାଦ୍ୱାରା ଏହି ଅସହାୟ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଏକ ନିରାପଦ ଆଶ୍ରୟ ପାଇପାରିବେ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



