ବୋଲିଭିଆ ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ, ୬୨ ଆହତ
ଲା ପାଜ୍: ବୋଲିଭିଆରେ ଏକ ସାମରିକ ବାରାକରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୨ ଜଣ ଆହତ ହୋଇଛନ୍ତି। ମୃତକ ଓ ଆହତଙ୍କ ମଧ୍ୟରେ ସାଧାରଣ ନାଗରିକଙ୍କ ସହ ସାମରିକ କର୍ମଚାରୀ ମଧ୍ୟ ରହିଛନ୍ତି।
ରାଜଧାନୀ ଲା ପାଜ୍ଠାରୁ ପ୍ରାୟ ୩୦ କିଲୋମିଟର ଦୂର ଭାୟାଚା ପୌରପାଳିକା ଅଞ୍ଚଳରେ ଥିବା ଏହି ସାମରିକ କମ୍ପ୍ଲେକ୍ସରେ ବାଣ ଗଚ୍ଛିତ ଥିବା ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ତେବେ ଏହା ପଛରେ ଥିବା ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
୬୨ ଆହତଙ୍କ ମଧ୍ୟରେ ୫୨ ନାଗରିକ
ଭାୟାଚାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରୀତା ନେବ୍ରାସ୍କାଙ୍କ ସୂଚନା ଅନୁସାରେ, ବିସ୍ଫୋରଣରେ ୬୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଲା ପାଜ୍ର ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଝିଅ ଗୁରୁତର ଭାବେ ପୋଡ଼ିଯାଇଥିବା ଜଣାପଡ଼ିଛି।
ବୋଲିଭିଆର ପ୍ରତିରକ୍ଷା ମନ୍ତ୍ରୀ ଏର୍ନେଷ୍ଟୋ ଜଷ୍ଟିନିଆନୋ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ୫୨ ଜଣ ସାଧାରଣ ନାଗରିକ, ଅନ୍ୟମାନେ ସାମରିକ କର୍ମଚାରୀ।
୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ
ବିସ୍ଫୋରଣର ପ୍ରଭାବରେ ଆଖପାଖ ଅଞ୍ଚଳର ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଡାକ୍ତରୀ ଦଳ ଓ ପୁଲିସ ମୁତୟନ କରାଯାଇଛି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ହସ୍ପିଟାଲ ପହଞ୍ଚାଇବା ସହ ମୃତକଙ୍କ ପରିବାରକୁ ସହାୟତା କରୁଛନ୍ତି।
ଆଉ ଏକ ବିସ୍ଫୋରଣ ଆଶଙ୍କା, ୧୫୦ ମିଟର ଦୂରେ ରହିବାକୁ ନିର୍ଦ୍ଦେଶ
ଘଟଣାସ୍ଥଳରେ ଆଉ ଏକ ବିସ୍ଫୋରଣ ହେବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ଘଟଣାସ୍ଥଳଠାରୁ ଅତି କମରେ ୧୫୦ ମିଟର ଦୂରରେ ରହିବାକୁ କୁହାଯାଇଛି।
ବିସ୍ଫୋରଣର କାରଣ ଖୋଜୁଛି ସରକାର
ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ବୋଲିଭିଆ ସରକାର ଓ ସାମରିକ ବାହିନୀ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ କ୍ଷୟକ୍ଷତି ଆକଳନ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ପ୍ରାୟ ୧ ଲକ୍ଷ ଲୋକଙ୍କ ବସତି ଥିବା ଭାୟାଚା ସହର ଲା ପାଜ୍ର ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ।



