ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ଅମ୍ବାଭୋନା ବ୍ଲକ ସ୍ତରୀୟ ସଂସ୍କୃତ ସପ୍ତାହ ପାଳିତ

ବରଗଡ଼:୮/୦୯(ପବିତ୍ର ମେହେର):ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ହାଇସ୍କୁଲ ଭୁକ୍ତାରେ ବ୍ଲକସ୍ତରୀୟ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କପିଳେଶ୍ୱର ବାଗ,ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର କାର୍ଯ୍ୟକାରୀ ସଭାପତି ପଣ୍ଡିତ ଗୋପବନ୍ଧୁ ପୁରୋହିତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସଂସ୍କୃତ ସାଧାରରଣ ଲୋକଙ୍କ କଥିତ ଭାଷା ଭାବେ ବ୍ୟବହୃତ ହେଲେ ଆହୁରି ଜନାଦୃତ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ ।ସମ୍ମାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ସମ୍ପାଦକ ଅଗସ୍ତି ପଧାନ,ସଂସ୍କୃତ ଶିକ୍ଷକ ଅଶୋକ ପଧାନ,ଶିକ୍ଷକ ସଞ୍ଜୟ ଖମାରୀ ଓ ଈଶ୍ୱର ପଧାନ ମଞ୍ଚାସୀନ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାଧନ କର୍ମୀ ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ଲୁହା ଓ ବୃନ୍ଦାବନ ଠେଠୁଆର,ବିଦ୍ୟାଳୟ କମିଟିର ସଦସ୍ୟ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା।ସଂସ୍କୃତ ଶିକ୍ଷକ ଶ୍ରୀପତି ସାହୁ କାର୍ଯ୍ୟକ୍ରମ ସଂଯୋଜନା ଓ ସଞ୍ଜୟ ଖମାରୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାଗ ସଂସ୍କୃତ ଭାଷାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିବା ସହ ସମସ୍ତ ଭାଷା ସଂସ୍କୃତ ଭାଷାରୁ ଉଦ୍ଧୃତ ବୋଲି ମତବ୍ୟକ୍ତ କରିଥିଲେ।ମ ବେଦ ଓ ଉପନିଷଦ ଆଦି ମୂଲ୍ୟବାନ ଗ୍ରନ୍ଥ ବିଷୟରେ ଜାଣିବାକୁ ହେଲେ ସଂସ୍କୃତ ଭାଷାକୁ ଲୋକାଭିମୁଖୀ କରିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ପରିଚାଳନାରେ ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ପ୍ରଶାନ୍ତ ମହାପାତ୍ର,ପଦ୍ମଲୋଚନ ବିଶି, ଶିକ୍ଷୟିତ୍ରୀ ରାଜ କୁମାରୀ ଭୁଏ, ରୋଜାଲିନ ଭୋଇ, ଲକ୍ଷ୍ମୀବତୀ ଭୋଇ ଏବଂ ଚନ୍ଦ୍ରିକା ଦାଶ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।




