ନାଲକୋ ଉଦଘାଟିତ ହେଲା କ୍ଷୁଦ୍ର ପ୍ରଦର୍ଶନୀ

(ଜେ. ବି. ଏନ୍ /ସୁଶାନ୍ତ କୁମାର) ୨୩/୧୨ /୨୦୨୦ଅନୁଗୋଳ : ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଓ ପ୍ରଦର୍ଶନ କରି ସେମାନଙ୍କୁ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଗତକାଲି ଅପରାହ୍ନରେ ନାଲକୋର ମଧୁସୁଦନ ପାର୍କଠାରେ ଏକ କ୍ଷୁଦ୍ର ପ୍ରଦର୍ଶନୀ ୧୦ଟି ଷ୍ଟଲକୁ ନେଇ ଖୋଲାଯାଇଛି । ଜିଲ୍ଲା ପ୍ରଶାସନ , ଓରମାସ , ମିଶନ ଶକ୍ତି ଓ ନାଲ୍କୋର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉତ୍ପାଦିକା ଦଳମାନଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ ହାତ ତିଆରି ସାମଗ୍ରୀର ପ୍ରଶଂସା କରିଥିଲେ । ସାଂପ୍ରତିକ ପରିସ୍ଥିତିରେ କୋଭିଡ ନିୟମକୁ ଅନୁସରଣ କରି ସ୍ଵୟଂ ସହାୟକ ଗୋଷ୍ଠୀମାନେ ଏହି ଷ୍ଟଲରେ ନିଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବିକ୍ରିବଟା କରି ରୋଜଗାରକ୍ଷମ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥଲେ । ୧୦ଟି ଷ୍ଟଲ ମଧ୍ୟରୁ ୯ଟିରେ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହେଉଥିବାବେଳେ ଅନ୍ୟ ଗୋଟିଏରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୂର୍ବରୁ ଏହି ପ୍ରଦର୍ଶନୀ ପ୍ରସିଦ୍ଧ ବିଶ୍ଵକର୍ମାପୂଜା ଅବସରରେ ଚାଲୁଥିଲା ଏବଂ ଏଥିରେ କୋଟିଏ ଟଙ୍କାରୁ ଉର୍ଷ ବିକ୍ରିବଟା ହେଉଥିଲା । ପରମ୍ପରାକୁ ଦୃଷ୍ଟିରେ ରଖି ନିୟମାବଳୀ ଆଧାରରେ ଏହି କ୍ଷୁଦ୍ର ପ୍ରଦର୍ଶନୀ ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଏହି ପ୍ରଦର୍ଶନୀରେ ଭାଗନେଇଥିବା ଉତ୍ପାଦିକା ଦଳ ଦ୍ବାରା କୋଭିଡ କିଓସ୍କ ସାମଗ୍ରୀ , ଖାଦ୍ୟ ସାମଗ୍ରୀ , ଝୋଟରେ ତିଆରି ସୌଖୀନ ସାମଗ୍ରୀ , ବଡ଼ି , ପାମ୍ପଡ , ମସଲା , ହର୍ବାଲ ସାମଗ୍ରୀ ଆୟୋଗ ଢିଙ୍କିକୁଟା ଚାଉଳ , ହାଣ୍ଡଲୁମ୍ , ବ୍ରାସବେଲ ମେଟାଲ ସାମଗ୍ରୀ , ଟେରାକୋଟା , ଅଗରବତୀ , ମିଠା ଆଳୁ , ଲେମନ୍ ଗ୍ରାସ ଅଏଲ ପ୍ରଭୃତି ସମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ହେଉଛି । ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଲକୋର ନିର୍ବାହୀ ନିଦ୍ଦେର୍ଶକ ଶ୍ରୀ ଅମ୍ବିକା ପ୍ରସାଦ ପଣ୍ଡା , ଜି ଏମ୍ ଶ୍ରୀ ସତ୍ୟନାରାୟଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଓରମାସର ଉପ – କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୌରଭମୟ ଦାସ ପରିଚାଳନା କରିଥିଲେ ।



