ମଧ୍ୟାହ୍ନ ଭୋଜନରେ ମିଲେଟ୍ ଲଡୁ ନାହିଁ, ଅପରାହ୍ନ ୨.୩୦ରେ ମିଳୁଛି ମଧ୍ୟାହ୍ନ ଭୋଜନ*
PM SHRI ସିମେଣ୍ଟ ନଗର ହାଇସ୍କୁଲ ,ବରଗଡ଼ରେ ଅନିୟମିତତା ଅଭିଯୋଗ,ତଦନ୍ତ ଦାବୀ କଲେ ଅଭିଭାବକ
ବରଗଡ଼:୧୯/୯(ପବିତ୍ର ମେହେର) ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଦିନରେ ମିଲେଟ୍ ଲଡୁ ପ୍ରଦାନ କରିବା ପାଇଁ ଉଲ୍ଲେଖ ରହିଛି।କିନ୍ତୁ ବରଗଡ଼ ବ୍ଲକ୍ ଅନ୍ତର୍ଗତ ପି ଏମ୍ ଶ୍ରୀ ସିମେଣ୍ଟ ନଗର ହାଇସ୍କୁଲରେ ଏହାର କାର୍ଯ୍ୟକାରିତାକୁ ନେଇ ଅଭିଭାବକମାନେ ଗୁରୁତର ଅଭିଯୋଗ ଉଠାଇଛନ୍ତି।ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଗ୍ରୀଷ୍ମବକାଶ ପରେ ଜୁନ୍ ମାସରେ ବିଦ୍ୟାଳୟ ଖୋଲିବା ଦିନଠାରୁ ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ଦିନରେ ମିଲେଟ୍ ଲଡୁ ନିୟମିତ ଭାବରେ ପ୍ରଦାନ କରାଯାଉନାହିଁ। ଏଥିସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରତିଦିନ ପ୍ରାୟ ଦିନ ୨.୩୦ଟା ସମୟରେ ଦିଆଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଏହି ସମ୍ପର୍କରେ ବିଦ୍ୟାଳୟର ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିକାଶ ବାଘେଲଙ୍କୁ ଅଭିଭାବକମାନେ ପଚାରିବାରୁ, ସେ ଏପର୍ଯ୍ୟନ୍ତ ଫାଇନାନ୍ସିଆଲ୍ ଚାର୍ଜ ଗ୍ରହଣ କରିନଥିବାରୁ ଏ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି କହୁଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, କିଛି ଅଭିଭାବକଙ୍କ ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବ୍ୟବହାରକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଭାବକମାନଙ୍କୁ ଧମକ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ଓ ଚର୍ଚ୍ଚା ରହିଥିବା କୁହାଯାଉଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ।
ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ପ୍ରାୟ ୪ କିଲୋମିଟର ଦୂରରେ ଥିବା ଏହି ବିଦ୍ୟାଳୟରେ ଯଦି ମଧ୍ୟାହ୍ନ ଭୋଜନ ଓ ମିଲେଟ୍ ଲଡୁ ବଣ୍ଟନକୁ ନେଇ ଏଭଳି ଅଭିଯୋଗ ଉଠୁଛି, ତେବେ ଜିଲ୍ଲାର ଦୂରଦୂରାନ୍ତ ଓ ଉପାନ୍ତ ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ଯୋଜନାର ବାସ୍ତବ ସ୍ଥିତି କ’ଣ ରହିଛି, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏହି ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗର ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ମଧ୍ୟ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ବିଷୟରେ ବିଭାଗୀୟ ଅଧିକାରୀମାନଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ଯଦି ପଦକ୍ଷେପ ନିଆଯାଇନଥାଏ, ତେବେ ତାହାର କାରଣ ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ଅଭିଭାବକ ମହଲରେ ଦାବି ହୋଇଛି।
ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ କୌଣସି ଅନୁଚିତ ବୁଝାମଣା ରହିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାର ମଧ୍ୟ ନିରପେକ୍ଷ ଯାଞ୍ଚ କରାଯିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏହି ଦାବିର ସତ୍ୟତା ସମ୍ପର୍କରେ କୌଣସି ନିଷ୍କର୍ଷ ନ ନେଇ, ତଦନ୍ତ ମାଧ୍ୟମରେ ବାସ୍ତବ ସ୍ଥିତି ସାମ୍ନାକୁ ଆଣିବାକୁ ସେମାନେ ଅନୁରୋଧ କରିଛନ୍ତି।



