ଦେବଗଡ଼ରେ ନକଲି ୫୦୦ ଟଙ୍କିଆ ନୋଟ୍ ନେଇ ଚାଞ୍ଚଲ୍ୟ, ୨ ଅଟକ
ଦୋକାନରୁ ସାମଗ୍ରୀ କିଣାବେଳେ ନକଲି ନୋଟ୍ ବ୍ୟବହାର ଅଭିଯୋଗ; ୬ଟି ନୋଟ୍ ଜବତ

ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ଅଞ୍ଚଳରେ ନକଲି ୫୦୦ ଟଙ୍କିଆ ନୋଟ୍ ବ୍ୟବହାର ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଦୋକାନରୁ ଚୋରି ଏବଂ ନକଲି ନୋଟ୍ କାରବାର ଅଭିଯୋଗରେ ବାରକୋଟ ଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଅନ୍ୟଜଣ ମରଡଙ୍ଗ ଗ୍ରାମର ଅନିଲ କୁମାର ସାହୁ ବୋଲି ଜଣାପଡ଼ିଛି।
ପୁଲିସ ସେମାନଙ୍କ ନିକଟରୁ ୬ଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଅନିଲ ଜଣେ ନାବାଳକଙ୍କୁ ନକଲି ୫୦୦ ଟଙ୍କିଆ ଖେଳଣା ନୋଟ୍ ଦେଇ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାଉଥିଲେ।
ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ବାରକୋଟ ଥାନା ପୁଲିସ ତଦନ୍ତ ଆରମ୍ଭ କରି ଦୁଇଜଣଙ୍କୁ ଧରି ପଚରାଉଚରା କରୁଛି। ଏହି ନକଲି ନୋଟ୍ କେଉଁଠାରୁ ଆସିଥିଲା ଏବଂ ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଥିବା ଜଣାପଡ଼ିଛି।
ନକଲି ନୋଟ୍ ମିଳିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।



