ଅଜଣା ଲିଙ୍କରେ କ୍ଲିକ୍ ନୁହେଁ, OTP ମଧ୍ୟ ଶେୟାର ନୁହେଁ
ସାଇବର ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଏସ୍ପିଙ୍କ ପରାମର୍ଶ
ଅନୁଗୋଳ: ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଅନୁଗୋଳରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅନୁଗୋଳ ସାଇବର ପୋଲିସ ଓ ନବକୃଷ୍ଣ ଚୌଧୁରୀ ବି.ଏଡ୍. କଲେଜର ମିଳିତ ଉଦ୍ୟମରେ କଲେଜ ପରିସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
କାର୍ଯ୍ୟକ୍ରମରେ ଅନୁଗୋଳ ଏସ୍ପି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ସାଇବର ସୁରକ୍ଷାର ବିଭିନ୍ନ ଦିଗ ନେଇ ଆଲୋଚନା କରିଥିଲେ। ଅନଲାଇନ୍ ଠକେଇର ବିଭିନ୍ନ କୌଶଳ ସମ୍ପର୍କରେ ସଚେତନ କରିବା ସହ ଡିଜିଟାଲ କାରବାର ସମୟରେ ସାମାନ୍ୟ ଅସାବଧାନତା କିପରି ବଡ଼ ଆର୍ଥିକ କ୍ଷତିର କାରଣ ହୋଇପାରେ, ସେନେଇ ସତର୍କ କରିଥିଲେ।
ଅଜଣା ଲିଙ୍କରେ କ୍ଲିକ୍ ନକରିବା, OTP, ପାସୱାର୍ଡ, ATM/ଡେବିଟ୍ କାର୍ଡ ସମ୍ପର୍କିତ ଗୁପ୍ତ ତଥ୍ୟ କାହା ସହ ଶେୟାର ନକରିବା ଏବଂ ସନ୍ଦେହଜନକ ଫୋନ୍ କିମ୍ବା ମେସେଜ୍ରେ ପ୍ରତିକ୍ରିୟା ନଦେବାକୁ ଏସ୍ପି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ IUCAWର ଆରକ୍ଷୀ ଉପ-ଅଧିକ୍ଷକ ଆଲୋଚନାମୂଳକ କୁଇଜ୍ ଓ ସଂକ୍ଷିପ୍ତ ଉପସ୍ଥାପନା ମାଧ୍ୟମରେ ସାଇବର ଅପରାଧର ବିଭିନ୍ନ ପ୍ରକାର ଓ ଏଥିରୁ ସୁରକ୍ଷିତ ରହିବାର ଉପାୟ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସାଇବର ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ସାଇବର ଠକେଇ ବିରୋଧରେ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ। ନିଜେ ସଚେତନ ରହିବା ସହ ପରିବାର, ବନ୍ଧୁ ଓ ସମାଜର ଅନ୍ୟମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବାକୁ ସେମାନେ ସଂକଳ୍ପ ନେଇଥିଲେ।



