ଓଡିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡି କମିଟି ୪ର୍ଥର ଅନୁଗୋଳ ଜିଲ୍ଲା ଗସ୍ତ

ଜେ ବି ଏନ, ୦୨ /୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଓଡିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟୀ ୪ର୍ଥ ଆଜି ଅପରାହ୍ନରେ ଶ୍ରୀ ଭୁପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସଦସ୍ୟ ଭାବେ ବିଧାୟକ ଶ୍ରୀ ଶଙ୍କର ଓରାମ , ଶ୍ରୀ ମୁକେଶ କୁମାର ପାଲ ଓ ବିଧାୟିକା ସିମାରାଣୀ ନାୟକ ଉପସ୍ଥିତ ଥିଲେ । ଓଡିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ଏହି କମିଟି ସହିତ ସାମିଲ ହୋଇଥିଲେ । କମିଟୀର ସମୀକ୍ଷା ସମୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଜାତୀୟ ରାଜପଥ ଓ ରେଳ ଲାଇନ୍ ପାର ହୋଇ ଯେପରି ଛାତ୍ର ଛାତ୍ରୀ ସ୍କୁଲକୁ ନ ଯାଆନ୍ତି ସେଥପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ବନ୍ଦ ଓ ମିଶ୍ରଣ ହେଉଥିବା ସ୍କୁଲଗୁଡିକ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ବିଧାୟକଙ୍କ ପରାମର୍ଶ ନେବାକୁ ସ୍ଥିର କରାଯାଇଛି । ରାଜ୍ୟର ନୋଡାଲ ଅଫିସର ପ୍ରତ୍ୟେକ ସ୍କୁଲକୁ ନିୟମିତ ପରିଦର୍ଶନରେ ଆସି ପାଠପଢାର ମାନକୁ ଯାଂଚ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଷଷ୍ଠରୁ ଉର୍ଦ୍ଧ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀମାନଂକ ପାଇଁ କ୍ରୀଡା ଶ୍ରେଣୀକୁ ପ୍ରଧାନ୍ୟ ଦିଆଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଆବଶ୍ୟକ ସ୍ଥଳେ ପାଠ ପଢାରେ ସୁଧାର ଆଣିବା ପାଇଁ ବି.ଆର.ସି.ସିସି.ଆର.ସି.ସିଙ୍କ ସ୍କୁଲ ପରିଦର୍ଶନ ସମୟରେ ସେମାନଂକ ଦ୍ଵାରା ଶିକ୍ଷାଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ଯୁକ୍ତ ୨ ଓ ଯୁକ୍ତ ୩ କଲେଜଗୁଡିକରେ ଛାତ୍ରୀମାନଂକ ପାଇଁ କମନ୍ ରୁମ୍ରେ ସ୍ଵତନ୍ତ୍ର ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ବିଦ୍ୟାଳୟରେ ଶୌଚାଳୟ ଓ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଆଠମଲ୍ଲିକ ଓ ପାଲଲହଡାରେ ୨ଟି ମିନି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ ଭାବେ କରିବାକୁ ପରାମର୍ଶ ଦିଆଯାଇଛି।
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ କମିଟୀକୁ ଅବଗତ କରିଥିଲେ । ଛେଣ୍ଡିପଦାରେ ୧୦ ଏକର ପରିମିତ ଯାଗାରେ ଏକ ସାଇନ୍ସ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଖଣିଜ ପାଣ୍ଠିରେ ଜିଲ୍ଲାରେ ଏକ ବିଶ୍ବ ସ୍ତରୀୟ ପାଠାଗାର ଓ ୩ଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ ବିଦ୍ୟାଳୟ କରାଯିବ । ମଧ୍ୟାହ୍ନ ଭୋଜନର ସୁପରିଚାଳନା ନିମନ୍ତେ ସେଣ୍ଟ୍ରାଲ କିଚେନ୍ ବ୍ୟବସ୍ଥା ବିଭିନ୍ନ ବିଦ୍ୟାଳୟକୁ ନେଇ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରତ୍ୟେକ କଲେଜ ଛାତ୍ର ଛାତ୍ରୀ ହେଲମେଟ ପିନ୍ଧି ଗାଡି ଚଳାଇବା ବାଧ୍ୟତାମୂଳକ ବୋଲି ଅଧକ୍ଷ୍ୟ ପ୍ରକାଶ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ଛାତ୍ରାବାସ , ସ୍ଥାୟୀ ଅଧକ୍ଷ୍ୟ ନିଯୁକ୍ତି ଓ ପାଚେରୀ ନିର୍ମାଣ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର କର୍ତ୍ତୁପକ୍ଷ କମିଟୀକୁ ଅବଗତ କରିଥିଲେ । ସମସ୍ତ ଅଣ – ସିକୃତିପ୍ରାପ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ତୁରନ୍ତ ବନ୍ଦ କରିବାକୁ କମିଟୀ ପରାମର୍ଶ ଦେଇଛନ୍ତି । ଖରାଦିନ ପୁର୍ବରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଉପରେ କମିଟୀ ଗୁରୁତ୍ବାରୋପ କରିଥିଲେ । ପାଲଲହଡାର ତଫସିଲ ଭୁକ୍ତ ଜନଜାତି ଅଂଚଳରେ ସ୍ବତନ୍ତ୍ର କଲେଜ ଖୋଲିବା ନିମନ୍ତେ କମିଟୀର ସଦସ୍ୟମାନେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଶିକ୍ଷାର ବିକାଶରେ ରାଜ୍ୟର ବିକାଶ , ତେଣୁ ଜିଲ୍ଲାରେ ଶିକ୍ଷାକୁ ସାର୍ବଜନିନ କରିବା ସହ ଏହାର ଉନ୍ନତି ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଉପ – ବାଚସ୍ପତି କମିଟୀକୁ ଅବଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



