ଓଟିଟି ଉପରେ ଅଙ୍କୁଶ: ସୋସିଆଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବ କେନ୍ଦ୍ର ସରକାର

ଜେ ବି ଏନ, ୨୬/୦୨ /୨୦୨୧, (ମିଡିଆ) ନୂଆଦିଲ୍ଲୀ : ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ, ଡିଜିଟାଲ ମିଡିଆ ଅର୍ଗାନାଇଜେଶନ ଏବଂ ଓଭର ଦି ଟପ୍ (ଓଟିଟି) ଷ୍ଟ୍ରିମିଂ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ବଡ଼ ବଡ଼ ଟେକ୍ନୋଲୋଜି ଫାର୍ମଗୁଡ଼ିକୁ ଲଗାମ କଷିବା ପାଇଁ ପୂର୍ବ ଆଇନରେ ସଂଶୋଧନ ଅଣାଯାଇ ଚିଠା ପ୍ରସ୍ତୁତ କରାଯାଇଛି। ଇନ୍ଫର୍ମେଶନ ଟେକ୍ନୋଲୋଜି (ଗାଇଡ୍ଲାଇନ୍ସ ଫର୍ ଇଣ୍ଟରମେଡିଆରିଜ୍ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍) ରୁଲ୍ସ, ୨୦୨୧ ଶୀର୍ଷକ ଏହି ଚିଠା ରିପୋର୍ଟରେ ଅନ୍ଲାଇନ୍ ମିଡିଆ ନିୟନ୍ତ୍ରଣ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। କୌଣସି ପୋଷ୍ଟ ପ୍ରଥମେ କେଉଁଠୁ ବାହାରିଛି ତାକୁ ଠାବ ଓ ବ୍ଲକ୍ କରିବା ଲାଗି ଏକ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ନିମନ୍ତେ କ୍ଷମତା ପ୍ରଦାନ ଲାଗି ଏଥିରେ ନିୟମ ରହିଛି। ଏ ନେଇ ଗତକାଲି କେନ୍ଦ୍ର ସରକାର ଙ୍କ ପକ୍ଷରୁ ସୂଚନା ଦିଆଯାଇଛି l



