
ପାଳଲହଡାର ସଫଳ କଦଳୀ ଚାଷୀ : ଭଗବାନ ପ୍ରଧାନ ।
(ଜେ ବି ଏନ /ସୁଶିଲ କୁମାର) ୦୧.୦୩ /୨୦୨୧ ଅନୁଗୋଳ /ପାଳଲହଡା : ପାଳଲହଡା ଉପଖଣ୍ଡର ଶିଗଡ ପଞ୍ଚାୟତ ଅନ୍ତର୍ଗତ ଟିମି ଗ୍ରାମର ପାଉଡିଭୂୟଂ ଜନଜାତି ସମ୍ପ୍ରଦାୟର ଶ୍ରୀ ଭଗବାନ ପ୍ରଧାନ କଦଳୀ ଚାଷ କରି ବେଶ ଲାଭବାନ ହୋଇପାରିବେ ବୋଲି ଆଶା ବାନ୍ଧିଛନ୍ତି । ଏହି ଓପେଲିପ୍ ହିତାଧୀକାରୀ ଅଧ ଏକର ଜାଗାରେ ୫୮୦ ଜି – ୯ ଟିସୁ କଲଚର କଦଳୀ ଚାଷ କରିଛନ୍ତି । ଏହା ଏକ ଉନ୍ନତ ଧରଣର କଦଳୀ ଚାଷ । ଗୋଟିଏ ଡଜନ କଦଳୀକୁ ସେ ସ୍ଥାନୀୟ ପାଳଲହଡା ବଜାରରେ ୪୦ ଟଙ୍କା ଏବଂ ଗୋଟିଏ କାନ୍ଦିକୁ ୩୫୦ରୁ ୪୦୦ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି । ଗୋଟିଏ କାନ୍ଧିରୁ ତାଙ୍କୁ ପାଖାପାଖୁ ୩୦୦ ଟଙ୍କା ଲାଭ ମିଳୁଛି ବୋଲି ସେ ପ୍ରକାଶ କରିଛନ୍ତି । ଆଗାମୀ ଏକ ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଏହି ବଗିଚାରୁ ପାଖାପାଖି ୧ଲକ୍ଷ ୩୦ ହଜାର ଟଙ୍କା ରୋଜଗାର କରିବେ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଏହାଠାରୁ ଅଧିକ ଲାଭ ମିଳିବ ବୋଲି ସେ କହିଛନ୍ତି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଜୈବିକ ଓ ରାସାୟନିକ ସାର ଯୋଗାଇ ଦିଆଯାଇଥିବା ବେଳେ ପାଉଡିଭୂୟଂ ଉନ୍ନୟନ ପରିଷଦ ଏବଂ ଉଦ୍ୟାନ କୃଷି ବିଭାଗ ତରଫରୁ ଆବଶ୍ୟକୀୟ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ପାଳଲହଡାର ଉପାନ୍ତ ଅଞ୍ଚଳରେ କଦଳୀ ଚାଷ କରି ନିଜେ ଲାଭବାନ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଶ୍ରୀ ପ୍ରଧାନ ପ୍ରେରଣାର ଉତ୍ସ ସାଜିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । କଦଳୀ କିମ୍ବା ଅନ୍ୟ ଚାଷ ପ୍ରତି ଆଗ୍ରହ ଥିବା ଜିଲ୍ଲାର ଚାଷୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।



