ଦୁଇ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5t ସଚିବ ଭି କେ ପାଣ୍ଡିଆନ୍

ଅନୁଗୋଳ, ତା, ୧୦.୭ – ରାଜ୍ୟ ସରକାରଙ୍କ 5T ସଚିବ ଅନୁଗୋଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ତାଳଚେରର ମା ହିଙ୍ଗୁଳା ମନ୍ଦିର ଠାରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏବଂ ମନ୍ଦିରର ଟ୍ରଷ୍ଟ ବୋର୍ଡର ବିଭିନ୍ନ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ମନ୍ଦିରର ପୂର୍ବ ପ୍ରସ୍ତୁତି ନକ୍ସାକୁ ଅନୁଧ୍ୟାନ କରିଥିଲେ ଓ ଏହାର ସମ୍ପୂର୍ଣ ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି କହିଥିଲେ । ମା ହିଙ୍ଗୁଳା ମନ୍ଦିର ଠାରେ ଥିବା ଗେଷ୍ଟ ହାଉସ୍ ଠାରେ ଆର ଡ ହ୍ୟୁ ଏସ୍ ଏସ୍ ଦ୍ବାରା ବିଭିନ୍ନ ଗ୍ରାମ ପଞ୍ଚାୟତ ନିମନ୍ତେ ପ୍ରସ୍ତୁତ ପାନୀୟ ଜଳ ପ୍ରକଳ୍ପଗୁଡିକ ସମ୍ବନ୍ଧରେ ପାଓ୍ବାର ପଏଣ୍ଟ ମାଧ୍ୟମରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ତାଳଚେର କଲେଜ ପଡିଆ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଂକର ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେଇଥିଲେ । ପରେ ପରେ ସଚିବ ଛେଣ୍ଡିପଦାର ମା ବାୟାଣୀ ପାଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ଏବଂ ଆସନ୍ତା ୧୭ ତାରିଖ ସୁଦ୍ଧା ଅନୁଗୋଳ ଜିଲ୍ଲାର ସମସ୍ତ ମନ୍ଦିରର ବିକାଶ ନିମନ୍ତେ ଖୁସି ଖବର ଆସିବ ବୋଲି କହିଥିଲେ । ଏହି ଅବସରରେ ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ସଚିବ ବ୍ୟକ୍ତିଗତ ଭାବେ ମିଶି କଥା ହୋଇଥିଲେ । ସଚିବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଛେଣ୍ଡିପଦାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ ନିମନ୍ତେ ଅନୁମୋଦନ ମାଗିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ତୁରନ୍ତ ଏହାକୁ ଆମ ହସପିଟାଲ ଯୋଜନା ସାମିଲ କରାଗଲା ବୋଲି ଘୋଷଣା କରିଥିଲେ । ଲୋକମାନଙ୍କ ଦାବୀ ତୁରନ୍ତ ସମାଧାନ ହୋଇପାରିଥିବାରୁ ଉପସ୍ଥିତ ଜନସାଧାରଣ ଖୁସିବ୍ୟକ୍ତ କରିଥିଲେ । ପରେ ପରେ ବନ୍ତଳା ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଂକର ଏକ ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ । ସେଠାରୁ ବାହାରି ଅନୁଗୋଳ ସ୍ଥିତ ବିଜୁ ମଇଦାନ ଠାରେ ଉପସ୍ଥିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଂକୁ ସମ୍ବୋଧନ କରି ଉଚ୍ଚ ଶିକ୍ଷା ଲାଭ କରି ରାଜ୍ୟ ତଥା ଦେଶର ବିକାଶରେ ସହଭାଗୀ ହେବାକୁ ପ୍ରେରଣାମୂଳକ ଉପଦେଶମାନ ଦେଇଥିଲେ । ଏହି ଅବସରରେ ଅନୁଗୋଳ ଜିଲ୍ଲାରେ ଥିବା ସମସ୍ତ ୪୩ଗୋଟି ମହାବିଦ୍ୟାଳୟଗୁଡିକୁ 5T ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ବୋଲି ଘୋଷଣା କରିଥିଲେ । ଏହାପରେ ପି ଟି ସି ଠାରେ ଉନ୍ନତ ଥଇଥାନ କେନ୍ଦ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସଚିବଙ୍କ ସହ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ସଚିବଙ୍କ ପ୍ରଥମ ଦିନର ଗସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିଲେ ।




