ବଡ଼ବିଲ ଐକ୍ୟକ୍ଷେତ୍ର ବଗିଚାରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ାର ଶ୍ୱେତ ପଦ୍ମ ।
ଆଙ୍କର : କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ବଡବିଲ ପୌରାଞ୍ଚଳ ରେ ୱାର୍ଡ ନମ୍ବର ଆଠ ଥିବା ଐକ୍ୟକ୍ଷେତ୍ର ବଗିଚାରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ଶ୍ୱେତ ପଦ୍ମ ବା ସହସ୍ରଦଳ ଧଳା କମଳ। ବଡ଼ବିଲ ସହର ପି ଏଚ ଡି କଲୋନୀ ନିକଟ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ। ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ହଜାରେ ପାଖୁଡ଼ାର ଦୁଇଟି ଧଳା ପଦ୍ମ ଫୁଟିପାରିଛି। ଏହି ଶ୍ୱେତ ପଦ୍ମର କନ୍ଦାକୁ କଲିକତାରୁ ଆଣି ସେ ବଗିଚାରେ ଲଗାଇଥିଲେ । ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ତା’ର ଯତ୍ନ ନେଉଥିଲେ। ପାଖାପାଖି ୨ ମାସ ପରେ ଏଥିରେ କଢ଼ ଧରିଥିଲା। କଢ଼ରୁ ଫୁଲରେ ପରିଣତ ହେବାକୁ ଏହାକୁ ପ୍ରାୟ ଦୁଇ ସପ୍ତାହ ଲାଗିଥିଲା । ଏବେ ଏହି ବିରଳ ହଜାରେ ପାଖୁଡ଼ାର ଧଳା ପଦ୍ମ ଫୁଲଟି ଦେଖିବାପରେ ଦେଖଣା ହାରୀଙ୍କ ମନମୋହି ନେଉଛି। ଅନ୍ୟ ପଦ୍ମ ଫୁଲ ଭଳି ଆକାର, କିନ୍ତୁ ରଙ୍ଗ ଧଳା ଆଉ ପାଖୁଡ଼ା ସଂଖ୍ୟା ହଜାରେ । ଏହି ବିରଳ ସହସ୍ର ଦଳ ପଦ୍ମକୁ ଦେଖିବା ପାଇଁ ବହୁ ଲୋକଙ୍କ ଆଗମନ ହେଉଛି । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଗୋଲାପୀ ରଙ୍ଗର ୧୦୦୦ ପାଖୁଡ଼ା ପଦ୍ମ ଫୁଟାଇ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲେ ବିଜୟ ମହାନ୍ତି । ଏତଦ୍ ବ୍ୟତୀତ ତାଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଂଗର ହାଇବ୍ରିଡ୍ ପଦ୍ମ ଓ କଇଁ ଫୁଲର ସଂଗ୍ରହ ମଧ୍ୟ ରହିଛି । ଅନ୍ୟାନ୍ୟ ପ୍ରଜାତିର ପାଖାପାଖି ଦୁଇଶହ ପଚାଶ ପ୍ରକାର ଫୁଲଗଛ ଓ ବୃକ୍ଷ ( ପ୍ଲାଣ୍ଟ), ଏଠାରେ ଦେଖିବାକୁ ମିଳୁଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




