ଅନୁଗୋଳ /ଭୂବନେଶ୍ୱର, ୦୫/୧୧ : ଟିକରପଡାର ସାତକୋଶିଆ ଅଭୟାରଣ୍ୟ ମହାନଦୀ ଅଞ୍ଚଳରେ ୧୬ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯିବ । ଏଥିପାଇଁ ଘଡ଼ିଆଳ ପୁନଃଉଦ୍ଧାର ପ୍ରକଳ୍ପ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବରରେ ୮ଟି ଓ ୨୦୨୫ ମସିହାରେ ଆଉ ୮ଟି କୁମ୍ଭୀର ଛଡ଼ାଯିବ ବୋଲି ନନ୍ଦନକାନନ ଜୀବ ବିଜ୍ଞାନୀ ଡ.ରାଜେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।ଡ. ମହାପାତ୍ର କହିଛନ୍ତି ଯେ, ବନବିଭାଗ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଡ.ସୁଶାନ୍ତ ନନ୍ଦ ଏବଂ ନନ୍ଦନକାନନ ନିର୍ଦେଶକ ମନୋଜ ଭି ନାୟାରଙ୍କ ମାର୍ଗଦର୍ଶନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପୃଥିବୀରେ ଘଡ଼ିଆଳ କୁମ୍ଭୀର ବଂଶ ବିପଦରେ ରହିଛି। ୨୦୦୭ ମସିହାରେ ଆଇୟୁସିଏନ୍ ପକ୍ଷରୁ ଏହାକୁ ରେଡ଼୍ ଲିଷ୍ଟ ଭାବେ ବିବେଚନା କରାଯାଇଛି।୪ହଜାର ବର୍ଷ ପୁରୁଣା ଏହି ଜୀବ ଲୋପପାଇବାକୁ ବସିଛି। ଏହି ଜାତୀୟ କୁମ୍ଭୀରଙ୍କ ବଂଶରକ୍ଷା କରିବାକୁ ରାଜ୍ୟରେ ବନବିଭାଗ ପକ୍ଷରୁ ୨୦୧୯ରୁ ମହାନଦୀରେ ଘଡ଼ିଆଳ ପୁନଃଉଦ୍ଧାର ପ୍ରକଳ୍ପ ଆରମ୍ଭ କରାଯାଇଛି। ସାତକୋଶିଆରେ ପ୍ରଥମ ପର୍ଯ୍ୟାୟରେ ୧୯ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଛି। ଏଥିରେ ୭ଟି ଅଣ୍ଡିରା ଏବଂ ୧୨ଟି ମାଈ ଥିଲେ। ୫ରୁ ୧୫ ବର୍ଷ ବୟସର କୁମ୍ଭୀର ସାତକୋଶିଆର ପରିବେଶରେ ସେମାନଙ୍କ ବଂଶବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ସାତକୋଶିଆ ଅଭୟାରଣ୍ୟ ଓ ମହାନଦୀ ବନଖଣ୍ଡରେ ପ୍ରକୃତି କୋଳରେ ଘଡ଼ିଆଳ କୁମ୍ଭୀର ଦୀର୍ଘ ୪୦ ବର୍ଷ ପରେ ଅଣ୍ଡାଦେଇ ଅନୁକୂଳ ପରିବେଶକୁ ପ୍ରମାଣିତ କରିଛନ୍ତି। ୨୦୨୧ ମେ ୨୨ ରେ କୁମ୍ଭୀରଙ୍କ ଅଣ୍ଡାରୁ ୨୮ଟି ଛୁଆ, ୨୦୨୨ରେ ୩୨ଟି, ୨୦୨୩ରେ ୩୫ ଏବଂ ୨୦୨୪ରେ ୩୫ଟି ଛୁଆ ଜନ୍ମନେଇଥିଲେ।

April 17, 2026/
No Comments


